ଅଧିକ ବିବରଣୀ

ଅଧିକ ବିବରଣୀ

୧ ଯିହୋବା

ଈଶ୍ୱରଙ୍କ ନାମ ଯିହୋବା ଅଟେ । ଯିହୋବା ନାମର ଅର୍ଥ ହେଉଛି, “ସେ ହେବାର କାରଣ ହୁଅନ୍ତି ।” ସେ ସର୍ବଶକ୍ତିମାନ ଈଶ୍ୱର ଅଟନ୍ତି ଏବଂ ସେ ହିଁ ସବୁକିଛି ସୃଷ୍ଟି କରିଛନ୍ତି । ତାହାଙ୍କ ପାଖରେ ଏତେ ଶକ୍ତି ଅଛି ଯେ ସେ ଯାହା ମଧ୍ୟ ଚାହାନ୍ତି, ତାହା ସେ କରିପାରନ୍ତି ।

ଏବ୍ରୀ ଭାଷାରେ ଈଶ୍ୱରଙ୍କ ନାମ ଚାରୋଟି ଅକ୍ଷରରେ ଲେଖା ଯାଉଥିଲା । ଏହି ଅକ୍ଷରଗୁଡ଼ିକୁ ଯଦି ଓଡ଼ିଆରେ ଲେଖାଯାଏ, ତେବେ ସେଗୁଡ଼ିକ ଏହିପରି ଲେଖାଯିବ: ଯ-ହ-ବ-ହ । ଯେତେବେଳେ ଏବ୍ରୀ ଭାଷାରେ ବାଇବଲର ପୁରାତନ ନିୟମ ଲେଖା ଯାଇଥିଲା, ସେଥିରେ ଈଶ୍ୱରଙ୍କ ନାମ ପ୍ରାୟ ୭,୦୦୦ ଥର ଥିଲା । ସାରା ପୃଥିବୀରେ ଲୋକେ “ଯିହୋବା” ନାମର ଭିନ୍ନ ଭିନ୍ନ ଉଚ୍ଚାରଣ କରନ୍ତି । ବିଭିନ୍ନ ଭାଷାରେ ଏହାର ଯେଉଁ ଉଚ୍ଚାରଣ ସାଧାରଣ ହୋଇଥାଏ, ଲୋକେ ସେହି ଉଚ୍ଚାରଣକୁ ବ୍ୟବହାର କରିଥାʼନ୍ତି ।

୧ ଅଧ୍ୟାୟ, ୧୫ ଅନୁ., ପାଦଟୀକା

୨ ବାଇବଲ “ଈଶ୍ୱର ନିଶ୍ୱସିତ” ଅଟେ

ବାଇବଲ ଈଶ୍ୱରଙ୍କ ତରଫରୁ ଅଟେ । କିନ୍ତୁ ଈଶ୍ୱର କିଛି ମଣିଷମାନଙ୍କ ମାଧ୍ୟମରେ ଏହାକୁ ଲେଖାଇଛନ୍ତି । ଏହା ଏପରି ଅଟେ, ଯେପରି ଜଣେ ବ୍ୟବସାୟୀ ଗୋଟିଏ ଚିଠି ଲେଖିବା ପାଇଁ ତାʼର ସେକ୍ରେଟାରୀକୁ ବ୍ୟବହାର କରେ । ଈଶ୍ୱର ନିଜ ଚିନ୍ତାଧାରା ଲେଖିବା ପାଇଁ ତାହାଙ୍କ ପବିତ୍ର ଶକ୍ତି ମାଧ୍ୟମରେ ବାଇବଲର ଲେଖକମାନଙ୍କୁ ମାର୍ଗଦର୍ଶନ ଦେଲେ । ପବିତ୍ର ଶକ୍ତି ଭିନ୍ନ ଭିନ୍ନ ଉପାୟରେ ସେମାନଙ୍କୁ ଈଶ୍ୱରଙ୍କ ଚିନ୍ତାଧାରା ବିଷୟରେ ଜଣାଉଥିଲା । ବେଳେ ବେଳେ ସେମାନେ ପବିତ୍ର ଶକ୍ତି ସାହାଯ୍ୟରେ ଦର୍ଶନ କିମ୍ବା ସ୍ୱପ୍ନରେ ଯାହା ଯାହା ଦେଖୁଥିଲେ, ସେଗୁଡ଼ିକୁ ସେମାନେ ବାଇବଲରେ ଲେଖୁଥିଲେ ।

୨ ଅଧ୍ୟାୟ, ୫ ଅନୁ.

୩ ସିଦ୍ଧାନ୍ତ

ସିଦ୍ଧାନ୍ତ କହିଲେ ବାଇବଲର ଏପରି ଶିକ୍ଷାଗୁଡ଼ିକୁ ବୁଝାଏ, ଯାହା ଆମକୁ ସଠିକ୍‌ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ । ଉଦାହରଣସ୍ୱରୂପ, ଗୋଟିଏ ସିଦ୍ଧାନ୍ତ ହେଉଛି, “କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ ।” (୧ କରିନ୍ଥୀୟ ୧୫:୩୩) ଏହି ସିଦ୍ଧାନ୍ତ ଆମକୁ ଶିଖାଏ ଯେ ଆମେ ଯେଭଳି ଲୋକମାନଙ୍କ ସହିତ ସଙ୍ଗତି କରୁ, ଆମ ଉପରେ ସେମାନଙ୍କର ହୁଏତ ଭଲ କିମ୍ବା ଖରାପ ପ୍ରଭାବ ପଡ଼ିପାରେ । ଆଉ ଏକ ସିଦ୍ଧାନ୍ତ ହେଉଛି, “ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ ।” (ଗାଲାତୀୟ ୬:୭) ଏହି ସିଦ୍ଧାନ୍ତଟି ଆମକୁ ଶିଖାଏ ଯେ ଆମେ ନିଜେ କରିଥିବା କାମର ପରିଣାମ ଆମକୁ ହିଁ ଭୋଗିବାକୁ ପଡ଼ିବ ।

୨ ଅଧ୍ୟାୟ, ୧୨ ଅନୁ.

୪ ଭବିଷ୍ୟତବାଣୀ

ଭବିଷ୍ୟତବାଣୀ ଈଶ୍ୱରଙ୍କଠାରୁ ମିଳିଥିବା ବାର୍ତ୍ତା ଅଟେ । ଏହା ମାଧ୍ୟମରେ ଈଶ୍ୱର ନିଜ ଉଦ୍ଦେଶ୍ୟ ବିଷୟରେ ଜଣାଉଥିଲେ । ଏହା ଈଶ୍ୱରଙ୍କ ତରଫରୁ ନୀତିଶିକ୍ଷା ହୋଇପାରେ । ଏହା ତାହାଙ୍କ ଆଜ୍ଞା କିମ୍ବା ତାହାଙ୍କ ନିଷ୍ପତ୍ତି ମଧ୍ୟ ହୋଇପାରେ । କିମ୍ବା ହୁଏତ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣାଗୁଡ଼ିକ ବିଷୟରେ ତଥ୍ୟ ମଧ୍ୟ ହୋଇପାରେ । ବାଇବଲର ଅନେକ ଭବିଷ୍ୟତବାଣୀ ପୂର୍ବରୁ ପୂରଣ ହୋଇସାରିଛି ।

୨ ଅଧ୍ୟାୟ, ୧୩ ଅନୁ.

୫ ଖ୍ରୀଷ୍ଟଙ୍କ ବିଷୟରେ ଭବିଷ୍ୟତବାଣୀ

ବାଇବଲରେ ଖ୍ରୀଷ୍ଟଙ୍କ ବିଷୟରେ କରାଯାଇଥିବା ସମସ୍ତ ଭବିଷ୍ୟତବାଣୀ ଯୀଶୁଙ୍କଠାରେ ପୂରଣ ହେଲା । “ ଖ୍ରୀଷ୍ଟଙ୍କ ବିଷୟରେ ଭବିଷ୍ୟତବାଣୀ” ନାମକ ବକ୍ସ ଦେଖନ୍ତୁ ।

୨ ଅଧ୍ୟାୟ, ୧୭ ଅନୁ., ପାଦଟୀକା

୬ ଯିହୋବା ପୃଥିବୀକୁ କାହିଁକି ସୃଷ୍ଟି କଲେ

ଯିହୋବା ପୃଥିବୀକୁ ଏଥିପାଇଁ ସୃଷ୍ଟି କଲେ, କାରଣ ସେ ଚାହାନ୍ତି ଯେ ଏହି ପୃଥିବୀ ଏକ ସୁନ୍ଦର ଉଦ୍ୟାନରେ ପରିଣତ ହେଉ ଏବଂ ଏଥିରେ କେବଳ ତାହାଙ୍କୁ ପ୍ରେମ କରୁଥିବା ଲୋକମାନେ ରହନ୍ତୁ । ଯିହୋବାଙ୍କ ଉଦ୍ଦେଶ୍ୟ ବଦଳି ନାହିଁ । ଖୁବ୍‌ ଶୀଘ୍ର, ସେ ପୃଥିବୀରୁ ସମସ୍ତ ଦୁଷ୍ଟତାକୁ ଦୂର କରିଦେବେ ଏବଂ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦେବେ ।

୩ ଅଧ୍ୟାୟ, ୧ ଅନୁ.

୭ ଶୟତାନ ବା ଦିଆବଳ

ଶୟତାନ ଏକ ସ୍ୱର୍ଗଦୂତ ଅଟେ, ଯିଏ ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲା । ଶୟତାନ ଶବ୍ଦର ଅର୍ଥ ହେଉଛି “ବିରୋଧୀ ।” ତାକୁ ଏହି ନାମ ଦିଆଯିବାର କାରଣ ହେଉଛି, ସେ ଯିହୋବାଙ୍କୁ ବିରୋଧ କରେ । ଶୟତାନକୁ ଦିଆବଳ ମଧ୍ୟ କୁହାଯାଏ, ଯାହାର ଅର୍ଥ ହେଉଛି “ନିନ୍ଦକ ।” ଏହି ନାମ ତାକୁ ଏଥିପାଇଁ ଦିଆଯାଇଛି, କାରଣ ସେ ଈଶ୍ୱରଙ୍କ ବିଷୟରେ ମିଥ୍ୟା କହି ଲୋକମାନଙ୍କୁ ଠକାମିର ଫାନ୍ଦରେ ପକାଏ ।

୩ ଅଧ୍ୟାୟ, ୪ ଅନୁ.

୮ ସ୍ୱର୍ଗଦୂତ

ଯିହୋବା ପୃଥିବୀକୁ ସୃଷ୍ଟି କରିବାର ବହୁ ପୂର୍ବରୁ ସ୍ୱର୍ଗଦୂତମାନଙ୍କୁ ସୃଷ୍ଟି କରିଥିଲେ । ସେମାନଙ୍କୁ ସ୍ୱର୍ଗରେ ରହିବା ପାଇଁ ସୃଷ୍ଟି କରାଯାଇଥିଲା । କୋଟି କୋଟି ସଂଖ୍ୟାରେ ସ୍ୱର୍ଗଦୂତମାନେ ଅଛନ୍ତି । (ଦାନିୟେଲ ୭:୧୦) ପ୍ରତ୍ୟେକ ସ୍ୱର୍ଗଦୂତଙ୍କର ନାମ ଏବଂ ଭିନ୍ନ ବ୍ୟକ୍ତିତ୍ୱ ରହିଛି । ସେମାନେ ନମ୍ର ସ୍ୱଭାବର ଅଟନ୍ତି, ତେଣୁ ଯେତେବେଳେ ମଣିଷମାନେ ସେମାନଙ୍କ ଉପାସନା କରିବାକୁ ଚାହିଁଲେ, ସେମାନେ ମନା କରିଦେଲେ । ସେମାନଙ୍କର ଭିନ୍ନ ଭିନ୍ନ ଶ୍ରେଣୀ ରହିଛି ଏବଂ ସେମାନଙ୍କୁ ଭିନ୍ନ ଭିନ୍ନ କାମ ଦିଆଯାଇଥାଏ, ଯେପରି— ଯିହୋବାଙ୍କ ସିଂହାସନ ସମ୍ମୁଖରେ ସେବା କରିବା, ତାହାଙ୍କ ବାର୍ତ୍ତା ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା, ପୃଥିବୀରେ ତାହାଙ୍କ ସେବକମାନଙ୍କୁ ସୁରକ୍ଷା ଓ ମାର୍ଗଦର୍ଶନ ଦେବା, ଯିହୋବାଙ୍କ ତରଫରୁ ନ୍ୟାୟଦଣ୍ଡ ଶୁଣାଇବା ଏବଂ ପ୍ରଚାର କାମରେ ତାହାଙ୍କ ସେବକମାନଙ୍କୁ ସାହାଯ୍ୟ କରିବା । (ଗୀତସଂହିତା ୩୪:୭; ପ୍ରକାଶିତ ବାକ୍ୟ ୧୪:୬; ୨୨:୮, ୯) ଆଗାମୀ ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ସେମାନେ ଯୀଶୁଙ୍କ ସହିତ ମିଶି ଯୁଦ୍ଧ କରିବେ ।— ପ୍ରକାଶିତ ବାକ୍ୟ ୧୬:୧୪, ୧୬; ୧୯:୧୪, ୧୫.

୩ ଅଧ୍ୟାୟ, ୫ ଅନୁ.; ୧୦ ଅଧ୍ୟାୟ, ୧ ଅନୁ.

୯ ପାପ

ଏପରି ଯେକୌଣସି ଚିନ୍ତା, କଳ୍ପନା କିମ୍ବା କାମ, ଯାହା ଯିହୋବା ଏବଂ ତାହାଙ୍କ ଇଚ୍ଛା ବିରୁଦ୍ଧରେ ହୋଇଥାଏ, ତାହା ପାପ ଅଟେ । ଯେତେବେଳେ ଆମେ କୌଣସି ପାପ କରୁ, ଈଶ୍ୱରଙ୍କ ସହିତ ଆମର ସମ୍ପର୍କ ତୁଟିଯାଏ । ସେଥିପାଇଁ ସେ ଆମକୁ ନିୟମ ଓ ସିଦ୍ଧାନ୍ତଗୁଡ଼ିକ ଦେଇଛନ୍ତି, ଯାହାଫଳରେ ଆମେ ଜାଣିଶୁଣି କୌଣସି ପାପ କରିବା ନାହିଁ । ଯିହୋବା ପ୍ରଥମ ପୁରୁଷ-ସ୍ତ୍ରୀ ଆଦମ ଓ ହବାକୁ ସିଦ୍ଧ ଶରୀର ଦେଇ ସୃଷ୍ଟି କରିଥିଲେ, ଅର୍ଥାତ୍‌ ସେମାନଙ୍କଠାରେ କୌଣସି ପାପ କିମ୍ବା ତୃଟି ନ ଥିଲା । କିନ୍ତୁ ଯେତେବେଳେ ସେମାନେ ଯିହୋବାଙ୍କ ଆଜ୍ଞା ଉଲ୍ଲଙ୍ଘନ କଲେ, ସେମାନେ ପାପ କଲେ ଏବଂ ଆଉ ସିଦ୍ଧ ହୋଇ ରହିଲେ ନାହିଁ । ସେମାନେ ଧୀରେ ଧୀରେ ବୃଦ୍ଧାବସ୍ଥାରେ ପହଞ୍ଚିଲେ ଏବଂ ଶେଷରେ ମରିଗଲେ । ଆମେ ସମସ୍ତେ ଆଦମର ସନ୍ତାନ ଅଟୁ, ତେଣୁ ଆମକୁ ତାʼଠାରୁ ପାପ ମିଳିଛି ଏବଂ ଏହି କାରଣରୁ ଆମେ ମଧ୍ୟ ବୃଦ୍ଧାବସ୍ଥାରେ ପହଞ୍ଚି ଶେଷରେ ମରିଯାଉ ।

୩ ଅଧ୍ୟାୟ, ୭ ଅନୁ.; ୫ ଅଧ୍ୟାୟ, ୩ ଅନୁ.

୧୦ ହର୍ମିଗିଦ୍ଦୋନ୍‌

ଏହା ଈଶ୍ୱରଙ୍କ ଯୁଦ୍ଧ ଅଟେ । ଈଶ୍ୱର ଏହି ଯୁଦ୍ଧରେ ଶୟତାନର ଜଗତ ଏବଂ ସମସ୍ତ ଦୁଷ୍ଟତାକୁ ବିନାଶ କରିଦେବେ ।

୩ ଅଧ୍ୟାୟ, ୧୩ ଅନୁ.; ୮ ଅଧ୍ୟାୟ, ୧୮ ଅନୁ.

୧୧ ଈଶ୍ୱରଙ୍କ ରାଜ୍ୟ

ଈଶ୍ୱରଙ୍କ ରାଜ୍ୟ ଏକ ସରକାର ଅଟେ । ଏହାକୁ ଯିହୋବା ସ୍ୱର୍ଗରେ ସ୍ଥାପନ କରିଛନ୍ତି । ଯୀଶୁ ଏହି ରାଜ୍ୟର ରାଜା ଅଟନ୍ତି । ଯିହୋବା ଭବିଷ୍ୟତରେ ଏହି ରାଜ୍ୟ ମାଧ୍ୟମରେ ସମସ୍ତ ଦୁଷ୍ଟତାକୁ ବିନାଶ କରିଦେବେ । ତାʼପରେ ଈଶ୍ୱରଙ୍କ ରାଜ୍ୟ ସାରା ପୃଥିବୀ ଉପରେ ଶାସନ କରିବ ।

୩ ଅଧ୍ୟାୟ, ୧୪ ଅନୁ.

୧୨ ଯୀଶୁ ଖ୍ରୀଷ୍ଟ

ଈଶ୍ୱର ସର୍ବପ୍ରଥମେ ଯୀଶୁଙ୍କୁ ସୃଷ୍ଟି କରିଥିଲେ, ତାʼପରେ ସେ ଅନ୍ୟ ସବୁକିଛି ସୃଷ୍ଟି କଲେ । ଯିହୋବା ସମଗ୍ର ମାନବଜାତିର ଉଦ୍ଧାର ନିମନ୍ତେ ଯୀଶୁଙ୍କୁ ନିଜ ଜୀବନ ବଳିଦାନ ଦେବା ପାଇଁ ପୃଥିବୀକୁ ପଠାଇଲେ । ଯୀଶୁଙ୍କୁ ହତ୍ୟା କରାଯିବା ପରେ ଯିହୋବା ତାହାଙ୍କୁ ପୁଣିଥରେ ଜୀବିତ କଲେ । ଯୀଶୁ ଆଜି ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି ଏବଂ ସେ ସ୍ୱର୍ଗରେ ଶାସନ କରୁଛନ୍ତି ।

୪ ଅଧ୍ୟାୟ, ୨ ଅନୁ.

୧୩ ସତୁରି ସପ୍ତାହର ଭବିଷ୍ୟତବାଣୀ

ବାଇବଲରେ ଭବିଷ୍ୟତବାଣୀ କରାଯାଇଥିଲା ଯେ ଅଭିଷିକ୍ତ ବ୍ୟକ୍ତି ବା ଖ୍ରୀଷ୍ଟ କେବେ ଆସିଥାʼନ୍ତେ । ବାଇବଲ କହେ ଯେ ୬୯ ସପ୍ତାହର ଏକ ସମୟ ବିତିବା ପରେ ସେ ଆସିଥାʼନ୍ତେ । ଏହି ସମୟ ଖ୍ରୀଷ୍ଟ ପୂର୍ବ ୪୫୫ ରେ ଆରମ୍ଭ ହେଲା ଏବଂ ଏହା ୨୯ ଖ୍ରୀଷ୍ଟାବ୍ଦରେ ଶେଷ ହେଲା ।

ଆମେ କିପରି ଜାଣୁ ଯେ ୬୯ ସପ୍ତାହର ସମୟ ୨୯ ଖ୍ରୀଷ୍ଟାବ୍ଦରେ ଶେଷ ହେଲା ? ଏହି ସମୟ ଖ୍ରୀଷ୍ଟ ପୂର୍ବ ୪୫୫ ରେ ଆରମ୍ଭ ହେଲା, ଯେତେବେଳେ ନିହିମୀୟା ଯିରୂଶାଲମ ପହଞ୍ଚିଲେ ଏବଂ ସହରକୁ ପୁଣିଥରେ ନିର୍ମାଣ କରିବା ଆରମ୍ଭ କଲେ । (ଦାନିୟେଲ ୯:୨୫; ନିହିମୀୟା ୨:୧, ୫-୮) ଯେତେବେଳେ ଆମେ “ସପ୍ତାହ” କହୁ, ସାଧାରଣତଃ ସାତ ଦିନକୁ ବୁଝାଏ । କିନ୍ତୁ ଏହି ଭବିଷ୍ୟତବାଣୀରେ ଯେଉଁ ସପ୍ତାହଗୁଡ଼ିକ ବିଷୟରେ କୁହାଯାଇଛି, ସେମଧ୍ୟରୁ ପ୍ରତ୍ୟେକ ସପ୍ତାହ ସାତ ଦିନର ନୁହେଁ, ବରଂ ଏହା ସାତ ବର୍ଷର ଅଟେ । ସାଧାରଣତଃ, ବାଇବଲର ଭବିଷ୍ୟତବାଣୀଗୁଡ଼ିକରେ ‘ଏକ ଦିନକୁ ଏକ ବର୍ଷ’ ଭାବେ ହିସାବ କରାଯାଇଥାଏ । (ଗଣନା ପୁସ୍ତକ ୧୪:୩୪; ଯିହିଜିକଲ ୪:୬) ତେଣୁ ୬୯ ସପ୍ତାହର ଅର୍ଥ ହେଉଛି, ୪୮୩ ବର୍ଷ (ଅର୍ଥାତ୍‌, ୬୯ର ୭ ଗୁଣ) । ଆଉ, ଯଦି ଆମେ ଖ୍ରୀଷ୍ଟ ପୂର୍ବ ୪୫୫ରୁ ୪୮୩ ବର୍ଷ ଗଣିବା, ତେବେ ଆମେ ୨୯ ଖ୍ରୀଷ୍ଟାବ୍ଦରେ ପହଞ୍ଚିବା (ଖ୍ରୀ.ପୂ. ୧ ଏବଂ ୧ ଖ୍ରୀ.. ମଧ୍ୟରେ କୌଣସି ଶୂନ୍‌ ବର୍ଷ ନାହିଁ) । ଠିକ୍‌ ଏହି ବର୍ଷ ଯୀଶୁଙ୍କର ବାପ୍ତିସ୍ମ ହେଲା ଏବଂ ସେ ଅଭିଷିକ୍ତ ବ୍ୟକ୍ତି ବା ଖ୍ରୀଷ୍ଟ ହେଲେ !— ଲୂକ ୩:୧, ୨, ୨୧, ୨୨.

ଏହି ଭବିଷ୍ୟତବାଣୀରେ ଆଉ ଏକ ସପ୍ତାହ ଅର୍ଥାତ୍‌ ଆହୁରି ସାତ ବର୍ଷର ସମୟ ବିଷୟରେ କୁହାଯାଇଛି, ଯେଉଁଥିରେ ଦୁଇଟି ଘଟଣା ଘଟିଥାʼନ୍ତା । ପ୍ରଥମ, ଅଭିଷିକ୍ତ ବ୍ୟକ୍ତି ବା ଖ୍ରୀଷ୍ଟଙ୍କୁ ହତ୍ୟା କରାଯାଇଥାʼନ୍ତା ଏବଂ ଦ୍ୱିତୀୟ, ଈଶ୍ୱରଙ୍କ ରାଜ୍ୟର ସୁସମାଚାର ଯିହୂଦୀମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ରାଷ୍ଟ୍ରର ଲୋକମାନଙ୍କୁ ପ୍ରଚାର କରାଯାଇଥାʼନ୍ତା । ପ୍ରଥମ ଘଟଣାଟି ୩୩ ଖ୍ରୀଷ୍ଟାବ୍ଦରେ ହୋଇଥିଲା ଏବଂ ଦ୍ୱିତୀୟ ଘଟଣାଟି ୩୬ ଖ୍ରୀଷ୍ଟାବ୍ଦରେ ଆରମ୍ଭରେ ହୋଇଥିଲା ।— ଦାନିୟେଲ ୯:୨୪-୨୭.

୪ ଅଧ୍ୟାୟ, ୭ ଅନୁ.

୧୪ ତ୍ରିଏକ ମିଥ୍ୟା ଶିକ୍ଷା ଅଟେ

ବାଇବଲ ଶିଖାଏ ଯେ ଯିହୋବା ପରମେଶ୍ୱର ସୃଷ୍ଟିକର୍ତ୍ତା ଅଟନ୍ତି ଏବଂ ସେ ସବୁକିଛି ସୃଷ୍ଟି କରିବାର ବହୁ ପୂର୍ବେ ଯୀଶୁଙ୍କୁ ସୃଷ୍ଟି କରିଥିଲେ । (କଲସୀୟ ୧:୧୫, ୧୬) ଯୀଶୁ ସର୍ବଶକ୍ତିମାନ ଈଶ୍ୱର ନୁହନ୍ତି । ସେ କେବେ ମଧ୍ୟ ନିଜକୁ ଈଶ୍ୱରଙ୍କ ସହିତ ସମାନ ବୋଲି ଦାବି କଲେ ନାହିଁ, ବରଂ ସେ କହିଲେ, “ପିତା ମୋʼଠାରୁ ମହାନ୍‌ ।” (ଯୋହନ ୧୪:୨୮; ୧ କରିନ୍ଥୀୟ ୧୫:୨୮) କିନ୍ତୁ ଅନେକ ଧର୍ମ ଈଶ୍ୱର ତ୍ରିଏକ ଅଟନ୍ତି ବୋଲି ଶିକ୍ଷା ଦେଇଥାଏ । ସେଗୁଡ଼ିକ କହେ ଯେ ପିତା ଈଶ୍ୱର ଅଟନ୍ତି, ପୁତ୍ର ଈଶ୍ୱର ଅଟନ୍ତି ଓ ପବିତ୍ର ଆତ୍ମା ମଧ୍ୟ ଈଶ୍ୱର ଅଟନ୍ତି ଏବଂ ସେମାନେ ତିନି ଜଣ ମିଶି ଜଣେ ଈଶ୍ୱର ଅଟନ୍ତି । କିନ୍ତୁ ବାଇବଲରେ “ତ୍ରିଏକ” ଶବ୍ଦ ନାହିଁ । ଏହା ଏକ ମିଥ୍ୟା ଶିକ୍ଷା ଅଟେ ।

ପବିତ୍ର ଆତ୍ମା କୌଣସି ବ୍ୟକ୍ତି ନୁହେଁ, ବରଂ ଏହା ଈଶ୍ୱରଙ୍କ ଅଦୃଶ୍ୟ ଓ ସକ୍ରିୟ ଶକ୍ତି ଅଟେ ଏବଂ ଏହି ଶକ୍ତିର ବ୍ୟବହାର କରି ଈଶ୍ୱର ନିଜ ଉଦ୍ଦେଶ୍ୟ ପୂରଣ କରିଥାʼନ୍ତି । ଉଦାହରଣସ୍ୱରୂପ, ପ୍ରଥମ ଶତାବ୍ଦୀରେ ଖ୍ରୀଷ୍ଟିୟାନମାନେ ‘ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଥିଲେ’ ଏବଂ ଯିହୋବା କହିଥିଲେ, ‘ଆମ୍ଭେ ସମସ୍ତଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା ।’ପ୍ରେରିତ ୨:୧-୪, ୧୭.

୪ ଅଧ୍ୟାୟ, ୧୨ ଅନୁ.; ୧୫ ଅଧ୍ୟାୟ, ୧୭ ଅନୁ.

୧୫ କ୍ରୁଶ

ସତ୍ୟ ଖ୍ରୀଷ୍ଟିୟାନମାନେ ଉପାସନାରେ କ୍ରୁଶର ବ୍ୟବହାର କରନ୍ତି ନାହିଁ । କାହିଁକି ?

  1. (୧) ବହୁ ସମୟ ଧରି ମିଥ୍ୟା ଉପାସନାରେ କ୍ରୁଶର ବ୍ୟବହାର ହୋଇଆସୁଛି । ପ୍ରାଚୀନ କାଳରେ ସୃଷ୍ଟିକୁ ପୂଜା କରାଯିବା ସମୟରେ କ୍ରୁଶର ବ୍ୟବହାର କରାଯାଉଥିଲା । ଏହା ଛଡ଼ା, ମିଥ୍ୟା ଧର୍ମଗୁଡ଼ିକର ଏପରି ରୀତିନୀତିରେ ମଧ୍ୟ କ୍ରୁଶର ବ୍ୟବହାର ହେଉଥିଲା, ଯେଉଁଗୁଡ଼ିକ ଯୌନ କାର୍ଯ୍ୟକଳାପ ଉପରେ ଆଧାରିତ ଥିଲା । ଯୀଶୁଙ୍କ ମୃତ୍ୟୁ ପରେ ୩୦୦ ବର୍ଷ ପର୍ଯ୍ୟନ୍ତ ଖ୍ରୀଷ୍ଟିୟାନମାନେ ଉପାସନାରେ କ୍ରୁଶର ବ୍ୟବହାର କରି ନ ଥିଲେ । ବହୁ ସମୟ ପରେ, ରୋମୀୟ ସମ୍ରାଟ କନ୍‌ଷ୍ଟାନ୍‌ଟାଇନ୍‌ କ୍ରୁଶକୁ ଖ୍ରୀଷ୍ଟିୟାନମାନଙ୍କର ପ୍ରତୀକ କରିଦେଲେ । ସେ ଖ୍ରୀଷ୍ଟିୟାନ ଧର୍ମକୁ ଆହୁରି ଜନପ୍ରିୟ କରିବା ପାଇଁ ଏପରି କଲେ । କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ କ୍ରୁଶର କୌଣସି ସମ୍ପର୍କ ନ ଥିଲା । ଦି ନ୍ୟୁ କ୍ୟାଥୋଲିକ୍‌ ଏନ୍‌ସାଇକ୍ଲୋପିଡିଆ କହେ, “ଯୀଶୁଙ୍କ ଆସିବା ପୂର୍ବରୁ ବିଭିନ୍ନ ଧର୍ମରେ ଏବଂ ଅଣଖ୍ରୀଷ୍ଟିୟାନ ଧର୍ମଗୁଡ଼ିକରେ କ୍ରୁଶର ବ୍ୟବହାର ହେଉଥିଲା ।”

  2. (୨) ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ କ୍ରୁଶରେ ହୋଇ ନ ଥିଲା । ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ କ୍ରୁଶ କରାଯାଇଛି, ସେହି ଶବ୍ଦର ଅର୍ଥ ହେଉଛି, “ଏକ ସିଧା କାଠ ଖୁଣ୍ଟ,” “କାଠ ଗଣ୍ଡି” କିମ୍ବା “ଗଛ ।” ଦି କମ୍ପାନିୟନ୍‌ ବାଇବଲ କହେ: “ଯେଉଁ ଗ୍ରୀକ୍‌ ଭାଷାରେ [ନୂତନ ନିୟମ] ଲେଖା ଯାଇଥିଲା, ସେଥିରେ ଏପରି କୌଣସି ଶବ୍ଦ ନାହିଁ, ଯାହାର ଅର୍ଥ ଦୁଇ ଖଣ୍ଡ କାଠ ହୋଇଥିବ ।” ଯୀଶୁଙ୍କୁ ଗୋଟିଏ ସିଧା କାଠ ଖୁଣ୍ଟରେ କଣ୍ଟା ପିଟି ହତ୍ୟା କରାଯାଇଥିଲା ।

  3. (୩) ଯିହୋବା ଚାହାନ୍ତି ନାହିଁ ଯେ ଆମେ ଉପାସନାରେ କୌଣସି ମୂର୍ତ୍ତି କିମ୍ବା ପ୍ରତୀକ ବ୍ୟବହାର କରୁ ।— ଯାତ୍ରା ପୁସ୍ତକ ୨୦:୪, ୫; ୧ କରିନ୍ଥୀୟ ୧୦:୧୪.

୫ ଅଧ୍ୟାୟ, ୧୨ ଅନୁ.

୧୬ ସ୍ମାରକ

ଯୀଶୁ ଖ୍ରୀଷ୍ଟ ନିଜ ଶିଷ୍ୟମାନଙ୍କୁ ଆଜ୍ଞା ଦେଇଥିଲେ ଯେ ସେମାନେ ତାହାଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ । ସେମାନେ ପ୍ରତିବର୍ଷ ଯିହୁଦୀ କ୍ୟାଲେଣ୍ଡର୍‌ର ନିସନ୍‌ ମାସ ୧୪ ତାରିଖରେ ଏପରି କରିଥାʼନ୍ତି । ଠିକ୍‌ ଏହି ଦିନ ଇସ୍ରାଏଲୀୟମାନେ ନିସ୍ତାର ପର୍ବ ପାଳନ କରୁଥିଲେ । ଯୀଶୁଙ୍କ ମୃତ୍ୟୁର ସ୍ମାରକ ସଭାରେ ସେଠାରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ରୋଟୀ ଓ ଦ୍ରାକ୍ଷାରସ ବୁଲାଇ ଦିଆଯାଏ । ରୋଟୀ ଯୀଶୁଙ୍କ ଶରୀର ଏବଂ ଦ୍ରାକ୍ଷାରସ ତାହାଙ୍କ ରକ୍ତର ପ୍ରତୀକ ଅଟେ । ଯେଉଁମାନେ ସ୍ୱର୍ଗକୁ ଯାଇ ଯୀଶୁଙ୍କ ସହିତ ଶାସନ କରିବା ପାଇଁ ଆଶା ରଖନ୍ତି, ସେମାନେ ରୋଟୀ ଖାଆନ୍ତି ଏବଂ ଦ୍ରାକ୍ଷାରସ ପିଅନ୍ତି । ଆଉ, ଯେଉଁମାନେ ଏହି ପୃଥିବୀରେ ଚିରଦିନ ପାଇଁ ଜୀବିତ ରହିବାର ଆଶା ରଖନ୍ତି, ସେମାନେ ଯୀଶୁଙ୍କ ମହାନ ବଳିଦାନ ପ୍ରତି ନିଜ କୃତଜ୍ଞତା ଦେଖାଇବା ପାଇଁ ଏହି ସଭାରେ ଉପସ୍ଥିତ ହୁଅନ୍ତି, କିନ୍ତୁ ସେମାନେ ରୋଟୀ ଖାଆନ୍ତି ନାହିଁ କି ଦ୍ରାକ୍ଷାରସ ପିଅନ୍ତି ନାହିଁ ।

୫ ଅଧ୍ୟାୟ, ୨୧ ଅନୁ.

୧୭ ପ୍ରାଣ

ବାଇବଲରେ ଯେଉଁ ଏବ୍ରୀ ଓ ଗ୍ରୀକ୍‌ ଶବ୍ଦଗୁଡ଼ିକର ଅନୁବାଦ “ପ୍ରାଣ” କରାଯାଇଛି, ସେଗୁଡ଼ିକ ଭିନ୍ନ ଭିନ୍ନ ଅର୍ଥକୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି: (୧) ଜଣେ ଲୋକ, (୨) ଏକ ଜନ୍ତୁ, କିମ୍ବା (୩) ଜଣେ ଲୋକ କିମ୍ବା ଏକ ଜନ୍ତୁର ଜୀବନ । ଉଦାହରଣସ୍ୱରୂପ:

  • ଜଣେ ଲୋକ— “ନୋହଙ୍କ ସମୟରେ . . . ଅଳ୍ପ ଲୋକ, ଅର୍ଥାତ୍‌ ଆଠ ପ୍ରାଣୀ, ଜଳ ମଧ୍ୟ ଦେଇ ରକ୍ଷା ପାଇଲେ ।” (୧ ପିତର ୩:୨୦) ଏଠାରେ “ପ୍ରାଣୀ” ଶବ୍ଦଟି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ହେଲେ— ନୋହ ଓ ତାଙ୍କ ପତ୍ନୀ, ସେମାନଙ୍କ ତିନି ପୁତ୍ର ଏବଂ ତିନି ବୋହୂ ।

  • ଏକ ଜନ୍ତୁ— “ପରମେଶ୍ୱର କହିଲେ, ଜଳ ବହୁଳ ରୂପେ ଜଙ୍ଗମ [ଜୀବିତ] ପ୍ରାଣୀବର୍ଗରେ ପ୍ରାଣୀମୟ ହେଉ ଓ ପୃଥିବୀର ଉପରିସ୍ଥ ଆକାଶମଣ୍ଡଳରେ ପକ୍ଷୀଗଣ ଉଡ଼ନ୍ତୁ ।” ତାʼପରେ ପରମେଶ୍ୱର କହିଲେ, “ପୃଥିବୀରେ ସ୍ୱ ସ୍ୱ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍‌), ଗ୍ରାମ୍ୟପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ୱ ସ୍ୱ ଜାତି ଅନୁସାରେ ପୃଥିବୀର ବନ୍ୟପଶୁଗଣ ଉତ୍ପନ୍ନ ହେଉନ୍ତୁ; ତହିଁରେ ସେପରି ହେଲା ।”— ଆଦି ପୁସ୍ତକ ୧:୨୦, ୨୪.

  • ଜଣେ ଲୋକ କିମ୍ବା ଏକ ଜନ୍ତୁର ଜୀବନ— ଯିହୋବା ମୋଶାଙ୍କୁ କହିଲେ: “ଯେଉଁ ଲୋକମାନେ ତୁମ୍ଭ ପ୍ରାଣ ଅନ୍ୱେଷଣ କରୁଥିଲେ, ସେସମସ୍ତେ ମରିଅଛନ୍ତି ।” (ଯାତ୍ରା ପୁସ୍ତକ ୪:୧୯) ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେ କହିଲେ: “ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ ।”— ଯୋହନ ୧୦:୧୧.

    ଏହା ସହିତ, ଯେତେବେଳେ ଜଣେ ବ୍ୟକ୍ତି ନିଜର “ସମସ୍ତ ପ୍ରାଣ” ଦେଇ କୌଣସି କାମ କରେ, ଏହାର ଅର୍ଥ ସେ ନିଜ ଇଚ୍ଛାରେ ଏବଂ ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟର ସହିତ ତାହା କରେ । (ମାଥିଉ ୨୨:୩୭; ଦ୍ୱିତୀୟ ବିବରଣ ୬:୫) “ପ୍ରାଣ” ଶବ୍ଦଟି ଏକ ଜୀବିତ ପ୍ରାଣୀର ଇଚ୍ଛା, କିମ୍ବା କ୍ଷୁଧା ବା ଲାଳସାକୁ ଦର୍ଶାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ । ଏକ ମୃତ ବ୍ୟକ୍ତି କିମ୍ବା ଏକ ଶବକୁ ମୃତ ପ୍ରାଣୀ ମଧ୍ୟ କୁହାଯାଇପାରେ ।— ଗଣନା ପୁସ୍ତକ ୬:୬; ହିତୋପଦେଶ ୨୩:୨; ଯିଶାଇୟ ୫୬:୧୧; ହାଗୟ ୨:୧୩.

୬ ଅଧ୍ୟାୟ, ୫ ଅନୁ.; ୧୫ ଅଧ୍ୟାୟ, ୧୭ ଅନୁ.

୧୮ ଆତ୍ମା

ବାଇବଲରେ ଯେଉଁ ଏବ୍ରୀ ଶବ୍ଦ ରୂଆଖ୍‌ ଓ ଗ୍ରୀକ୍‌ ଶବ୍ଦ ନ୍ୟୁମାର ଅନୁବାଦ “ଆତ୍ମା” କରାଯାଇଛି, ତାʼର ଭିନ୍ନ ଭିନ୍ନ ଅର୍ଥ ହୋଇପାରେ, ଯେପରି— ବାୟୁ, ମଣିଷ ଓ ଜୀବଜନ୍ତୁଙ୍କ ଶ୍ୱାସ, ସ୍ୱର୍ଗଦୂତ ଓ ଈଶ୍ୱରଙ୍କ ପବିତ୍ର ଆତ୍ମା ଅର୍ଥାତ୍‌ ସକ୍ରିୟ ଶକ୍ତି । ବାଇବଲ ଏପରି କେବେ ମଧ୍ୟ ଶିଖାଏ ନାହିଁ ଯେ ଜଣେ ମଣିଷର ମୃତ୍ୟୁ ପରେ ତାʼର କିଛି ଅଂଶ ଆଗକୁ ଜୀବିତ ରହିଥାଏ ।— ଯାତ୍ରା ପୁସ୍ତକ ୩୫:୨୧; ଗୀତସଂହିତା ୧୦୪:୨୯; ମାଥିଉ ୧୨:୪୩; ଲୂକ ୧୧:୧୩.

୬ ଅଧ୍ୟାୟ, ୫ ଅନୁ., ପାଦଟୀକା; ୧୫ ଅଧ୍ୟାୟ, ୧୭ ଅନୁ.

୧୯ ଜେହିନ୍ନା

ଜେହିନ୍ନା ଯିରୂଶାଲମ ସହର ପାଖରେ ଥିବା ଏକ ଉପତ୍ୟକାର ନାମ ଅଟେ, ଯେଉଁଠାରେ ଅଳିଆ ଆବର୍ଜନା ଜଳାଇ ଦିଆଯାଉଥିଲା । ଯୀଶୁଙ୍କ ସମୟରେ ଜେହିନ୍ନାରେ ପଶୁ କିମ୍ବା ମଣିଷମାନଙ୍କୁ ଜୀବନ୍ତ ଜଳାଇ ଯନ୍ତ୍ରଣା ଦିଆଯାଉଥିଲା ବୋଲି ଏହାର କୌଣସି ପ୍ରମାଣ ନାହିଁ । ତେଣୁ ଜେହିନ୍ନା ଏପରି କୌଣସି ଅଦୃଶ୍ୟ ଜାଗା ହୋଇପାରିବ ନାହିଁ, ଯେଉଁଠାରେ ଲୋକଙ୍କୁ ମରିବା ପରେ ସବୁଦିନ ପାଇଁ ନିଆଁରେ ଜଳାଇ ଯନ୍ତ୍ରଣା ଦିଆଯାଏ । ଯେତେବେଳେ ଯୀଶୁ କହିଲେ ଯେ କିଛି ଲୋକଙ୍କୁ ଜେହିନ୍ନାରେ ଫିଙ୍ଗି ଦିଆଯିବ, ଏହାର ଅର୍ଥ ଥିଲା, ସେମାନଙ୍କୁ ଚିରଦିନ ପାଇଁ ବିନାଶ କରିଦିଆଯିବ ।— ମାଥିଉ ୫:୨୨, ପାଦଟୀକା; ୧୦:୨୮.

୭ ଅଧ୍ୟାୟ, ୨୦ ଅନୁ.

୨୦ ପ୍ରଭୁଙ୍କ ପ୍ରାର୍ଥନା

ଯୀଶୁ ଏହି ପ୍ରାର୍ଥନାକୁ ଏକ ନମୁନା ଭାବେ ନିଜ ଶିଷ୍ୟମାନଙ୍କୁ ଶିଖାଇଥିଲେ । ଏହାକୁ ଆଦର୍ଶ ପ୍ରାର୍ଥନା ମଧ୍ୟ କୁହାଯାଏ । ଉଦାହରଣସ୍ୱରୂପ, ସେ ଆମକୁ ଏସବୁ ବିଷୟରେ ପ୍ରାର୍ଥନା କରିବା ପାଇଁ ଶିଖାଇଥିଲେ:

  • “ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ”

    ଆମର ଏହି ପ୍ରାର୍ଥନାର ଅର୍ଥ ହେଉଛି, ଈଶ୍ୱରଙ୍କ ନାମରେ ଯେତେ ସବୁ କଳଙ୍କ ଲାଗିଛି ସେସବୁ ଦୂର ହେଉ, ଯାହାଫଳରେ ସ୍ୱର୍ଗ ଓ ପୃଥିବୀରେ ସମସ୍ତେ ଈଶ୍ୱରଙ୍କ ନାମର ଆଦର ଓ ମହିମା କରନ୍ତୁ ।

  • “ତୁମ୍ଭର ରାଜ୍ୟ ଆସୁ”

    ଆମେ ପ୍ରାର୍ଥନା କରୁ ଯେ ଈଶ୍ୱରଙ୍କ ରାଜ୍ୟ ଶୟତାନର ଦୁଷ୍ଟ ଜଗତକୁ ବିନାଶ କରିଦେଉ, ଏହି ପୃଥିବୀ ଉପରେ ଶାସନ କରୁ ଏବଂ ଏହାକୁ ଏକ ପାରଦୀଶରେ ପରିଣତ କରିଦେଉ ।

  • “ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ”

    ଆମେ ପ୍ରାର୍ଥନା କରୁ ଯେ ଈଶ୍ୱର ଯେଉଁ ଉଦ୍ଦେଶ୍ୟରେ ପୃଥିବୀ ଓ ମଣିଷମାନଙ୍କୁ ସୃଷ୍ଟି କରିଛନ୍ତି, ତାହା ପୂରଣ ହେଉ, ଯାହାଫଳରେ ଆଜ୍ଞା ପାଳନ କରୁଥିବା ଲୋକମାନଙ୍କ ଶରୀରରେ ଥିବା ପାପକୁ ଦୂର କରିଦିଆଯିବ ଏବଂ ସେମାନେ ପାରଦୀଶରେ ପରିଣତ ପୃଥିବୀରେ ଚିରଦିନ ପାଇଁ ଜୀବିତ ରହିପାରିବେ ।

୮ ଅଧ୍ୟାୟ, ୨ ଅନୁ.

୨୧ ମୁକ୍ତିର ମୂଲ୍ୟ

ଯିହୋବା ମଣିଷଜାତିକୁ ପାପ ଓ ମୃତ୍ୟୁରୁ ଉଦ୍ଧାର କରିବା ପାଇଁ ମୁକ୍ତିର ମୂଲ୍ୟର ବ୍ୟବସ୍ଥା କଲେ । ପ୍ରଥମ ମଣିଷ ଆଦମ ଯେଉଁ ଉତ୍ତମ ଜୀବନ ହରାଇଲା, ତାକୁ ପୁଣିଥରେ କିଣିବା ପାଇଁ ମୁକ୍ତିର ମୂଲ୍ୟ ଆବଶ୍ୟକ ହେଲା । କେବଳ ଏତିକି ନୁହଁ, ଯିହୋବାଙ୍କ ସହିତ ମଣିଷର ଯେଉଁ ସମ୍ପର୍କ ତୁଟିଯାଇଥିଲା, ତାକୁ ପୁଣିଥରେ ଯୋଡ଼ିବା ପାଇଁ ମଧ୍ୟ ମୁକ୍ତିର ମୂଲ୍ୟର ଆବଶ୍ୟକତା ଥିଲା । ଯିହୋବା ସମଗ୍ର ମାନବଜାତିର ଉଦ୍ଧାର ନିମନ୍ତେ ଯୀଶୁଙ୍କୁ ନିଜ ଜୀବନ ବଳିଦାନ ଦେବା ପାଇଁ ପୃଥିବୀକୁ ପଠାଇଲେ । ହଁ, ସମସ୍ତ ମଣିଷଙ୍କ ଶରୀରରେ ଥିବା ପାପକୁ ଦୂର କରିଦିଆଯିବ ଏବଂ ସେମାନେ ଚିରଦିନ ପାଇଁ ଜୀବିତ ରହିପାରିବେ । ଆଉ, ଏହା ଯୀଶୁଙ୍କ ମୃତ୍ୟୁ ଯୋଗୁଁ ହିଁ ସମ୍ଭବ ହୋଇପାରିଛି ।

୮ ଅଧ୍ୟାୟ, ୨୧ ଅନୁ.; ୯ ଅଧ୍ୟାୟ, ୧୩ ଅନୁ.

୨୨ ୧୯୧୪ ମସିହା କାହିଁକି ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଅଟେ ?

ଦାନିୟେଲ ବହିର ୪ ଅଧ୍ୟାୟରେ ଲେଖାଯାଇଥିବା ଭବିଷ୍ୟତବାଣୀରୁ ଜଣାପଡ଼େ ଯେ ଈଶ୍ୱର ୧୯୧୪ ମସିହାରେ ସ୍ୱର୍ଗରେ ନିଜ ରାଜ୍ୟ ସ୍ଥାପନ କଲେ ।

ଭବିଷ୍ୟତବାଣୀ: ଯିହୋବା ନବୂଖଦ୍‌ନିତ୍ସର ରାଜାଙ୍କୁ ସ୍ୱପ୍ନରେ ଏକ ବଡ଼ ଗଛ ଦେଖାଇଲେ । ସେହି ଗଛକୁ କାଟି ଦିଆଗଲା, କିନ୍ତୁ ତାʼର ମୂଳ-ଗଣ୍ଡିକୁ ଲୁହା ଓ ପିତ୍ତଳର ବେଡ଼ିରେ ବାନ୍ଧି ଦିଆଗଲା, ଯାହାଫଳରେ ତାହା “ସାତ କାଳ” ପର୍ଯ୍ୟନ୍ତ ଆଉ ବଢ଼ିପାରି ନ ଥାʼନ୍ତା । କିନ୍ତୁ ସାତ କାଳ ପରେ ସେହି ଗଛଟି ପୁଣି ବଢ଼ିଥାʼନ୍ତା ।— ଦାନିୟେଲ ୪:୧, ୧୦-୧୬.

ଭବିଷ୍ୟତବାଣୀର ଅର୍ଥ: ଏହି ଗଛଟି ଈଶ୍ୱରଙ୍କ ଶାସନ କରିବାର ଅଧିକାରକୁ ଦର୍ଶାଏ । ପ୍ରାଚୀନ କାଳରେ ଯିହୋବା ଅନେକ ବର୍ଷ ପର୍ଯ୍ୟନ୍ତ ରାଜାମାନଙ୍କ ମାଧ୍ୟମରେ ଇସ୍ରାଏଲ ରାଷ୍ଟ୍ର ଉପରେ ଶାସନ କରିଥିଲେ । ଏହି ରାଜାମାନେ ଯିରୂଶାଲମରୁ ରାଜତ୍ୱ କରୁଥିଲେ । (୧ ବଂଶାବଳୀ ୨୯:୨୩) କିନ୍ତୁ ସେମାନେ ଯିହୋବାଙ୍କ ସହିତ ବିଶ୍ୱାସଘାତ କଲେ । ତେଣୁ ସମୟକ୍ରମେ ସେମାନଙ୍କ ଶାସନର ଅନ୍ତ ହେଲା । ଖ୍ରୀଷ୍ଟ ପୂର୍ବ ୬୦୭ ରେ ଯିରୂଶାଲମକୁ ଧ୍ୱଂସ କରିଦିଆଗଲା ଏବଂ ସେହି ସମୟଠାରୁ “ସାତ କାଳ” ଆରମ୍ଭ ହେଲା । (୨ ରାଜାବଳୀ ୨୫:୧, ୮-୧୦; ଯିହିଜିକଲ ୨୧:୨୫-୨୭) ଯେତେବେଳେ ଯୀଶୁ କହିଲେ, “ବିଜାତିମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦ ଦଳିତ ହୋଇ ରହିବ,” ସେ ପ୍ରକୃତରେ ଏହି “ସାତ କାଳ” ବିଷୟରେ କହୁଥିଲେ । (ଲୂକ ୨୧:୨୪) ଏହାର ଅର୍ଥ ହେଉଛି, ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେତେବେଳେ “ସାତ କାଳ” ଶେଷ ହୋଇ ନ ଥିଲା । ଯିହୋବା ପ୍ରତିଜ୍ଞା କରିଥିଲେ ଯେ “ସାତ କାଳ” ଶେଷ ହେବା ପରେ ସେ ଜଣେ ରାଜାଙ୍କୁ ନିଯୁକ୍ତ କରିବେ । ଏହି ନୂଆ ରାଜା ଯୀଶୁ ଅଟନ୍ତି । ଯୀଶୁଙ୍କ ଶାସନ କାଳରେ ସାରା ପୃଥିବୀରେ ଈଶ୍ୱରଙ୍କ ଲୋକମାନଙ୍କୁ ଚିରଦିନ ପାଇଁ ଭରପୂର ଆଶିଷ ମିଳିବ ।— ଲୂକ ୧:୩୦-୩୩.

‘ସାତ କାଳର’ ସମୟ: ଏହି “ସାତ କାଳ” ମୋଟ ୨,୫୨୦ ବର୍ଷ ଥିଲା । ଯଦି ଆମେ ଖ୍ରୀଷ୍ଟ ପୂର୍ବ ୬୦୭ ରୁ ଏହି ୨,୫୨୦ ବର୍ଷ ଗଣିବା, ତେବେ ଆମେ ୧୯୧୪ ମସିହାରେ ପହଞ୍ଚିବା (ଖ୍ରୀ.ପୂ. ୧ ଏବଂ ୧ ଖ୍ରୀ.. ମଧ୍ୟରେ କୌଣସି ଶୂନ୍‌ ବର୍ଷ ନାହିଁ) । ଏହି ବର୍ଷ ଅର୍ଥାତ୍‌ ୧୯୧୪ ମସିହାରେ ଯିହୋବା ଯୀଶୁ ଖ୍ରୀଷ୍ଟଙ୍କୁ ସ୍ୱର୍ଗରେ ତାହାଙ୍କ ରାଜ୍ୟର ରାଜା ରୂପେ ନିଯୁକ୍ତ କଲେ ।

କିନ୍ତୁ ଆମେ କିପରି ଜାଣୁ ଯେ ‘ସାତ କାଳର’ ସମୟ ୨,୫୨୦ ବର୍ଷ ଥିଲା ? ବାଇବଲ କହେ ଯେ ସାଢ଼େ ତିନି ବର୍ଷ (କାଳ) ୧,୨୬୦ ଦିନ ସହିତ ସମାନ ଅଟେ । (ପ୍ରକାଶିତ ବାକ୍ୟ ୧୨:୬, ୧୪) ଆଉ, ସାଢ଼େ ତିନି କାଳର ଦୁଇ ଗୁଣ ସାତ କାଳ ଅଟେ । ତେଣୁ ସାତ କାଳ ୧,୨୬୦ ର ଦୁଇ ଗୁଣ ଅର୍ଥାତ୍‌ ୨,୫୨୦ ଦିନ ହେବ । ଭବିଷ୍ୟତବାଣୀଗୁଡ଼ିକରେ ‘ଏକ ଦିନ ଏକ ବର୍ଷ’ ସହିତ ସମାନ ଅଟେ । ତେଣୁ ୨,୫୨୦ ଦିନ ପ୍ରକୃତରେ ୨,୫୨୦ ବର୍ଷ ଅଟେ ।— ଗଣନା ପୁସ୍ତକ ୧୪:୩୪; ଯିହିଜିକଲ ୪:୬.

୮ ଅଧ୍ୟାୟ, ୨୩ ଅନୁ.

୨୩ ପ୍ରଧାନ ସ୍ୱର୍ଗଦୂତ ମୀଖାୟେଲ

ବାଇବଲରେ କେବଳ ଜଣେ ‘ପ୍ରଧାନ ସ୍ୱର୍ଗଦୂତଙ୍କ’ ବିଷୟରେ କୁହାଯାଇଛି ଏବଂ ତାହାଙ୍କ ନାମ ମୀଖାୟେଲ ।— ଦାନିୟେଲ ୧୨:୧; ଯିହୂଦା ୯.

ମୀଖାୟେଲ ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କୁ ନେଇ ଗଠିତ ଈଶ୍ୱରଙ୍କ ସୈନ୍ୟବାହିନୀର ପ୍ରଧାନ ଅଟନ୍ତି । ପ୍ରକାଶିତ ବାକ୍ୟ ୧୨:୭ ପଦ କହେ, ‘ମୀଖାୟେଲ ଓ ତାହାଙ୍କ ଦୂତମାନେ ସେହି ସର୍ପ . . . ଓ ତାʼର ଦୁଷ୍ଟ ଦୂତମାନଙ୍କ ସହିତ ଯୁଦ୍ଧ କଲେ ।’ ପ୍ରକାଶିତ ବାକ୍ୟ ଏହା ମଧ୍ୟ କହେ ଯେ ଈଶ୍ୱରଙ୍କ ସୈନ୍ୟବାହିନୀର ପ୍ରଧାନ ଯୀଶୁ ଅଟନ୍ତି । ଏଥିରୁ ଜଣାପଡ଼େ ଯେ ମୀଖାୟେଲ ଯୀଶୁଙ୍କର ଅନ୍ୟ ନାମ ଅଟେ ।— ପ୍ରକାଶିତ ବାକ୍ୟ ୧୯:୧୪-୧୬.

୯ ଅଧ୍ୟାୟ, ୪ ଅନୁ., ପାଦଟୀକା

୨୪ ଶେଷକାଳ

ଏହା ଏପରି ସମୟ ଅଟେ, ଯେତେବେଳେ ସାରା ପୃଥିବୀରେ ଭୟଙ୍କର ଓ ବଡ଼ ବଡ଼ ଘଟଣାଗୁଡ଼ିକ ଘଟିବ ଏବଂ ଏହାର ତୁରନ୍ତ ପରେ ଈଶ୍ୱରଙ୍କ ରାଜ୍ୟ ଶୟତାନର ଜଗତକୁ ବିନାଶ କରିଦେବ । ବାଇବଲର ଭବିଷ୍ୟତବାଣୀଗୁଡ଼ିକରେ ଏହି ସମୟକୁ “ଯୁଗାନ୍ତ” ଏବଂ ‘ମନୁଷ୍ୟପୁତ୍ରଙ୍କର ଆଗମନର’ ସମୟ ବୋଲି କୁହାଯାଇଛି । (ମାଥିଉ ୨୪:୩, ୨୭, ୩୭) ଯେତେବେଳେ ଈଶ୍ୱରଙ୍କ ରାଜ୍ୟ ୧୯୧୪ ମସିହାରେ ସ୍ୱର୍ଗରେ ଶାସନ କରିବା ଆରମ୍ଭ କଲା, ସେହି ସମୟଠାରୁ ‘ଶେଷକାଳର’ ଆରମ୍ଭ ହେଲା । ଭବିଷ୍ୟତରେ ଯେତେବେଳେ ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ଶୟତାନର ଜଗତକୁ ବିନାଶ କରିଦିଆଯିବ, ଏହି ଶେଷକାଳର ସମାପ୍ତି ହେବ ।— ୨ ତୀମଥି ୩:୧; ୨ ପିତର ୩:୩.

୯ ଅଧ୍ୟାୟ, ୫ ଅନୁ.

୨୫ ପୁନରୁତ୍ଥାନ

ବାଇବଲରେ ଏପରି ୯ ଜଣ ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି, ଯେଉଁମାନଙ୍କୁ ମରିଯିବା ପରେ ପୁଣିଥରେ ଜୀବିତ କରାଯାଇଥିଲା । ଏଲୀୟ, ଇଲୀଶାୟ, ଯୀଶୁ, ପିତର ଓ ପାଉଲ ମରିଯାଇଥିବା ଲୋକଙ୍କୁ ଅଲୌକିକ ଭାବେ ପୁଣିଥରେ ଜୀବିତ କରିଥିଲେ । ସେମାନେ ଏହି ଅଲୌକିକ କାମ ଏଥିପାଇଁ କରିପାରିଲେ, କାରଣ ସେମାନଙ୍କୁ ଈଶ୍ୱରଙ୍କଠାରୁ ଶକ୍ତି ମିଳିଥିଲା । ଯିହୋବା ପ୍ରତିଜ୍ଞା କରନ୍ତି ଯେ ସେ ଏହି ପୃଥିବୀରେ “ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର” ପୁନରୁତ୍ଥାନ କରିବେ । (ପ୍ରେରିତ ୨୪:୧୫) ବାଇବଲ ଏହା ମଧ୍ୟ କହେ ଯେ କିଛି ଲୋକଙ୍କୁ ସ୍ୱର୍ଗରେ ଜୀବନ ପାଇବା ପାଇଁ ପୁନରୁତ୍ଥାନ କରାଯିବ । ଏପରି ବ୍ୟକ୍ତିମାନଙ୍କୁ ଈଶ୍ୱର ବାଛିଥାʼନ୍ତି । ଯେତେବେଳେ ସେମାନଙ୍କୁ ସ୍ୱର୍ଗରେ ଜୀବନ ଦିଆଯାଏ, ସେତେବେଳେ ସେମାନେ ଯୀଶୁଙ୍କ ସହିତ ସେଠାରେ ରହନ୍ତି ।— ଯୋହନ ୫:୨୮, ୨୯; ୧୧:୨୫; ଫିଲିପ୍‌ପୀୟ ୩:୧୧; ପ୍ରକାଶିତ ବାକ୍ୟ ୨୦:୫, ୬.

୯ ଅଧ୍ୟାୟ, ୧୩ ଅନୁ.

୨୬ ଯାଦୁବିଦ୍ୟା ଓ ଭୂତବିଦ୍ୟା

ଏସବୁ କାମରେ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହିତ ସମ୍ପର୍କ କରାଯାଏ । ଜଣେ ଲୋକ ହୁଏତ ନିଜେ ଏପରି କରେ କିମ୍ବା କୌଣସି ତାନ୍ତ୍ରିକ କିମ୍ବା ଗୁଣିଆ ସାହାଯ୍ୟରେ ଏପରି କରିଥାଏ । ଯେଉଁ ଲୋକମାନେ ଯାଦୁବିଦ୍ୟା ଓ ଭୂତବିଦ୍ୟାରେ ସାମିଲ୍‌ ହୁଅନ୍ତି, ସେମାନେ ବିଶ୍ୱାସ କରନ୍ତି ଯେ ମଣିଷର ମୃତ୍ୟୁ ପରେ ତାʼର ଆତ୍ମା ଜୀବିତ ରହେ, କିମ୍ବା ସେ ଭୂତ ହୋଇଯାଏ । କିନ୍ତୁ ଏହା ଏକ ମିଥ୍ୟା ଶିକ୍ଷା ଅଟେ । ଦୁଷ୍ଟ ସ୍ୱର୍ଗଦୂତମାନେ ମଣିଷମାନଙ୍କୁ ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କରିବା ପାଇଁ ପ୍ରଲୋଭିତ କରିଥାʼନ୍ତି । ଜ୍ୟୋତିଷ ବିଦ୍ୟା, ଭବିଷ୍ୟତ କହିବା, ଯାଦୁ ଖେଳ, ତନ୍ତ୍ରମନ୍ତ୍ର ଓ ଅନ୍ଧବିଶ୍ୱାସ ଇତ୍ୟାଦି ମଧ୍ୟ ଯାଦୁବିଦ୍ୟା ଓ ଭୂତବିଦ୍ୟାର ଭାଗ ଅଟେ । ଏପରି ଅନେକ ବହି-ପତ୍ରିକା, ରାଶିଫଳ, ଜାତକ, ସିନେମା, ସଂଗୀତ, ଭିଡିଓ-ଗେମ୍‌ସ ଓ ପୋଷ୍ଟର୍‌ଗୁଡ଼ିକରେ ଦୁଷ୍ଟ ସ୍ୱର୍ଗଦୂତ, ଯାଦୁବିଦ୍ୟା, ଭୂତବିଦ୍ୟା ଓ ଅଲୌକିକ ଶକ୍ତିଗୁଡ଼ିକୁ ଏପରି ଆକର୍ଷଣୀୟ ଭାବେ ପ୍ରଦର୍ଶନ କରାଯାଏ, ସତେ ଯେପରି ସେଗୁଡ଼ିକରେ କୌଣସି ବିପଦ ନାହିଁ । ଏହା ଛଡ଼ା, ଅନ୍ତ୍ୟେଷ୍ଟି କ୍ରିୟାର ପ୍ରଥାଗୁଡ଼ିକରେ ମଧ୍ୟ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହିତ ସମ୍ପର୍କ କରାଯାଏ, ଯେପରି— ଦଶାହ, ଶ୍ରାଦ୍ଧ, ମୃତମାନଙ୍କୁ କିଛି ଉତ୍ସର୍ଗ କରିବା, ବିଧବାମାନଙ୍କ ସହ ଜଡ଼ିତ ବିଭିନ୍ନ ପ୍ରଥା ଇତ୍ୟାଦି । ଯେତେବେଳେ ଲୋକେ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ସମ୍ପର୍କ କରିବା ପାଇଁ ଚେଷ୍ଟା କରନ୍ତି, ସେମାନେ ସାଧାରଣତଃ ନିଶାଦ୍ରବ୍ୟ ସେବନ କରି ଏପରି କରିଥାʼନ୍ତି ।— ଗାଲାତୀୟ ୫:୨୦; ପ୍ରକାଶିତ ବାକ୍ୟ ୨୧:୮.

୧୦ ଅଧ୍ୟାୟ, ୧୦ ଅନୁ.; ୧୬ ଅଧ୍ୟାୟ, ୪ ଅନୁ.

୨୭ ଯିହୋବାଙ୍କ ଶାସନ କରିବାର ଅଧିକାର

ଯିହୋବା ସର୍ବଶକ୍ତିମାନ ଈଶ୍ୱର ଅଟନ୍ତି ଏବଂ ସେ ସମଗ୍ର ବିଶ୍ୱକୁ ସୃଷ୍ଟି କରିଛନ୍ତି । (ପ୍ରକାଶିତ ବାକ୍ୟ ୧୫:୩) ତେଣୁ ସେ ହିଁ ସବୁକିଛିର ମାଲିକ ଅଟନ୍ତି ଏବଂ ସମଗ୍ର ସୃଷ୍ଟି ଉପରେ ଶାସନ କରିବାର ଅଧିକାର କେବଳ ତାହାଙ୍କର ଅଛି । (ଗୀତସଂହିତା ୨୪:୧; ଯିଶାଇୟ ୪୦:୨୧-୨୩; ପ୍ରକାଶିତ ବାକ୍ୟ ୪:୧୧) ସେ ନିଜ ପ୍ରତ୍ୟେକ ସୃଷ୍ଟି ପାଇଁ ନିୟମ ନିର୍ଦ୍ଧାରଣ କରିଛନ୍ତି । ଯିହୋବାଙ୍କ ପାଖରେ ଅନ୍ୟମାନଙ୍କୁ ଶାସକ ଭାବେ ନିଯୁକ୍ତ କରିବାର ଅଧିକାର ମଧ୍ୟ ରହିଛି । ଯେତେବେଳେ ଆମେ ତାହାଙ୍କୁ ପ୍ରେମ କରୁ ଏବଂ ତାହାଙ୍କ ଆଜ୍ଞା ପାଳନ କରୁ, ଆମେ ତାହାଙ୍କ ଶାସନ କରିବାର ଅଧିକାରକୁ ସମର୍ଥନ କରିଥାଉ ।— ୧ ବଂଶାବଳୀ ୨୯:୧୧.

୧୧ ଅଧ୍ୟାୟ, ୧୦ ଅନୁ.

୨୮ ଗର୍ଭପାତ

ଗର୍ଭପାତର ଅର୍ଥ ହେଉଛି, ଗର୍ଭରେ ବଢ଼ୁଥିବା ଶିଶୁକୁ ଜାଣିଶୁଣି ହତ୍ୟା କରିବା । ଗର୍ଭପାତ ଆପେ ଆପେ କିମ୍ବା ମାଆ ଶରୀରର କୌଣସି ସ୍ୱାଭାବିକ ପ୍ରତିକ୍ରିୟା ଯୋଗୁଁ ହୋଇ ନ ଥାଏ । ଯେତେବେଳେ ଜଣେ ସ୍ତ୍ରୀ ଗର୍ଭ ଧାରଣ କରେ, ସେତେବେଳେ ଗର୍ଭରେ ଥିବା ଭୃଣଟି ମାଆ ଶରୀରର ଅନ୍ୟ ଏକ ଅଙ୍ଗ ନୁହେଁ, ବରଂ ଏହା ଏକ ଭିନ୍ନ ଜୀବନ ଅଟେ ।

୧୩ ଅଧ୍ୟାୟ, ୫ ଅନୁ.

୨୯ ରକ୍ତ ସଂଚାରଣ

ଏହା ଚିକିତ୍ସାର ଏକ ଉପାୟ ଅଟେ, ଯେଉଁଥିରେ ରକ୍ତ କିମ୍ବା ରକ୍ତର ଚାରୋଟି ମୁଖ୍ୟ ଉପାଦାନ ମଧ୍ୟରୁ କୌଣସି ଗୋଟିଏ ଉପାଦାନକୁ ରୋଗୀର ଶରୀରକୁ ନିଆଯାଏ । ଏହି ରକ୍ତ ରୋଗୀଟିର ନିଜର ଜମା କରାଯାଇଥିବା ରକ୍ତ ହୋଇପାରେ କିମ୍ବା ଅନ୍ୟ ଜଣେ ବ୍ୟକ୍ତିର ହୋଇପାରେ । ରକ୍ତର ଚାରିଗୋଟି ଉପାଦାନ ହେଉଛି— ପ୍ଲାଜ୍‌ମା, ଲୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା ଓ ପ୍ଲେଟ୍‌ଲେଟ୍‌ସ ।

୧୩ ଅଧ୍ୟାୟ, ୧୩ ଅନୁ.

୩୦ ଶିକ୍ଷା ଦେବା

ବାଇବଲରେ ‘ଶିକ୍ଷା ଦେବାର’ ଅର୍ଥ କେବଳ ଦଣ୍ଡ ଦେବା ନୁହଁ, ବରଂ ଏଥିରେ ନିର୍ଦ୍ଦେଶ ଦେବା, ଶିଖାଇବା ଓ ସୁଧାରିବା ମଧ୍ୟ ସାମିଲ୍‌ ରହିଛି । ଯିହୋବା ଯେଉଁମାନଙ୍କୁ ଶିକ୍ଷା ଦିଅନ୍ତି, ସେମାନଙ୍କ ସହିତ ସେ କେବେ ମଧ୍ୟ ନିଷ୍ଠୁର ବ୍ୟବହାର କରନ୍ତି ନାହିଁ କିମ୍ବା ସେମାନଙ୍କର ଅପମାନ କରନ୍ତି ନାହିଁ । (ହିତୋପଦେଶ ୪:୧, ୨) ଯିହୋବା ପିତାମାତାଙ୍କ ପାଇଁ ଉତ୍ତମ ଉଦାହରଣ ରଖିଛନ୍ତି । ସେ ଯାହା ଶିକ୍ଷା ଦିଅନ୍ତି, ସେଗୁଡ଼ିକ ଏତେ ଫଳପ୍ରଦ ହୋଇଥାଏ ଯେ ଜଣେ ବ୍ୟକ୍ତି ଏହାକୁ ଜୀବନରେ ଲାଗୁ କରି ପ୍ରକୃତରେ ଖୁସି ପାଏ । (ହିତୋପଦେଶ ୧୨:୧) ଯିହୋବା ନିଜ ଲୋକମାନଙ୍କୁ ପ୍ରେମ କରନ୍ତି ଏବଂ ସେମାନଙ୍କୁ ତାଲିମ୍‌ ଦିଅନ୍ତି । ସେମାନଙ୍କ ଚିନ୍ତାଧାରାକୁ ସୁଧାରନ୍ତି ଏବଂ ସେମାନଙ୍କୁ ସଠିକ୍‌ ଭାବେ କାମ କରିବା ଶିଖାନ୍ତି । ଯେତେବେଳେ ପିତାମାତାମାନଙ୍କୁ ନିଜ ପିଲାଙ୍କୁ ଶିକ୍ଷା ଦେବା ପାଇଁ କୁହାଯାଇଛି, ଏଥିରେ ଅନେକ ବିଷୟ ସାମିଲ୍‌ ରହିଛି । ସେମାନେ ପିଲାଙ୍କୁ ଏହା ବୁଝିବାରେ ସାହାଯ୍ୟ କରିବା ଉଚିତ୍‌ ଯେ ପିଲାମାନେ କାହିଁକି ସେମାନଙ୍କ କଥା ମାନିବା ଉଚିତ୍‌ । ପିତାମାତା ପିଲାଙ୍କୁ ଏହା ମଧ୍ୟ ଶିଖାଇବା ଉଚିତ୍‌ ଯେ ସେମାନେ ଯିହୋବାଙ୍କୁ ପ୍ରେମ କରନ୍ତୁ ଏବଂ ତାହାଙ୍କ ବାକ୍ୟ ବାଇବଲ ପ୍ରତି ଗଭୀର ଆଦର ଦେଖାନ୍ତୁ । ସେମାନେ ପିଲାଙ୍କୁ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ବୁଝିବା ପାଇଁ ମଧ୍ୟ ସାହାଯ୍ୟ କରିବା ଉଚିତ୍‌ ।

୧୪ ଅଧ୍ୟାୟ, ୧୩ ଅନୁ.

୩୧ ଦୁଷ୍ଟ ସ୍ୱର୍ଗଦୂତ

ଦୁଷ୍ଟ ସ୍ୱର୍ଗଦୂତମାନେ ଆମ ମଣିଷମାନଙ୍କଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି ଏବଂ ଆମେ ସେମାନଙ୍କୁ ଦେଖିପାରି ନ ଥାଉ । ଏହି ସ୍ୱର୍ଗଦୂତମାନେ ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କଲା ପରେ ଦୁଷ୍ଟ ହୋଇଗଲେ ଏବଂ ଈଶ୍ୱରଙ୍କର ଶତ୍ରୁ ପାଲଟି ଗଲେ । (ଆଦି ପୁସ୍ତକ ୬:୨; ଯିହୂଦା ୬) ଏହାପରେ ସେମାନେ ମଧ୍ୟ ଯିହୋବାଙ୍କ ବିରୁଦ୍ଧରେ ଶୟତାନର ବିଦ୍ରୋହରେ ଯୋଗ ଦେଲେ ।— ଦ୍ୱିତୀୟ ବିବରଣ ୩୨:୧୭; ଲୂକ ୮:୩୦; ପ୍ରେରିତ ୧୬:୧୬; ଯାକୁବ ୨:୧୯.

୧୬ ଅଧ୍ୟାୟ, ୪ ଅନୁ.