इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୫

ଜଗତରୁ ଅଲଗା କିପରି ରହିବା ?

ଜଗତରୁ ଅଲଗା କିପରି ରହିବା ?

“ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ ।”—ଯୋହନ ୧୫:୧୯.

୧. ନିଜ ଜୀବନର ଶେଷ ରାତିରେ ଯୀଶୁ କେଉଁ କଥାକୁ ନେଇ ଚିନ୍ତିତ ଥିଲେ ?

 ଏହା ଯୀଶୁଙ୍କ ଜୀବନର ଶେଷ ରାତି ଥିଲା । ସେ ନିଜ ଶିଷ୍ୟମାନଙ୍କୁ ନେଇ ବହୁତ ଚିନ୍ତିତ ଥିଲେ ଯେ ସେ ସେମାନଙ୍କୁ ଛାଡ଼ିଯିବା ପରେ ସେମାନଙ୍କର କʼଣ ହେବ । ସେ ନିଜ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ ।” (ଯୋହନ ୧୫:୧୯) ତାʼପରେ ସେ ନିଜ ପିତାଙ୍କୁ ପ୍ରାର୍ଥନା କରିବା ସମୟରେ ସେମାନଙ୍କ ବିଷୟରେ କହିଲେ, “ମୁଁ ଯେପରି ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେପରି ଜଗତରୁ ଉତ୍ପନ୍ନ ନୁହନ୍ତି ।” (ଯୋହନ ୧୭:୧୫, ୧୬) ଯୀଶୁଙ୍କ କହିବାର ଅର୍ଥ କʼଣ ଥିଲା ?

୨. ଯୀଶୁ ଯେଉଁ “ଜଗତ” ବିଷୟରେ କହୁଥିଲେ, ତାʼର ଅର୍ଥ କʼଣ ?

ଯୀଶୁ ଯେଉଁ “ଜଗତ” ବିଷୟରେ କହିଲେ, ତାର ଅର୍ଥ ହେଉଛି, ଏପରି ଲୋକମାନେ ଯେଉଁମାନେ ଯିହୋବାଙ୍କ ସେବା କରନ୍ତି ନାହିଁ ଏବଂ ଯେଉଁମାନଙ୍କ ଉପରେ ଶୟତାନ ଶାସନ କରେ । (ଯୋହନ ୧୪:୩୦; ଏଫିସୀୟ ୨:୧, ୨; ଯାକୁବ ୪:୪; ୧ ଯୋହନ ୫:୧୯) କିନ୍ତୁ ଯିହୋବାଙ୍କ ସେବକମାନେ ଏହି “ଜଗତରୁ ଉତ୍ପନ୍ନ ନୁହନ୍ତି ।” ଆମେ ଏହି ଅଧ୍ୟାୟରେ ଜଗତରୁ ଅଲଗା ରହିବା ବିଷୟରେ କିଛି ଉପାୟ ପ୍ରତି ଧ୍ୟାନ ଦେବା । ଯେପରି— ଆମେ ଈଶ୍ୱରଙ୍କ ରାଜ୍ୟ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍‌, ଆମେ ନିଷ୍ପକ୍ଷ ରହିବା ଉଚିତ୍‌ ଅର୍ଥାତ୍‌ ରାଜନୀତିରେ କାହାରି ପକ୍ଷ ନେବା ଉଚିତ୍‌ ନୁହେଁ, ଆମେ ଜଗତର ଆତ୍ମାରୁ ଦୂରେଇ ରହିବା ଉଚିତ୍‌, ପୋଷାକ ଓ ସଜବାଜ ମାମଲାରେ ଧ୍ୟାନ ଦେବା ଉଚିତ୍‌ ଏବଂ ଟଙ୍କାପଇସା ପଛରେ ଗୋଡ଼ାଇବା ଉଚିତ୍‌ ନୁହେଁ । ଏହି ଅଧ୍ୟାୟରେ ଆମେ ଏବିଷୟରେ ମଧ୍ୟ ଧ୍ୟାନ ଦେବା ଯେ ଈଶ୍ୱରଙ୍କଠାରୁ ମିଳିଥିବା ଯୁଦ୍ଧସଜ୍ଜା ପରିଧାନ କଲେ, ଆମକୁ ଜଗତରୁ ଅଲଗା ରହିବା ପାଇଁ କିପରି ସାହାଯ୍ୟ ମିଳିପାରିବ ।—ଅଧିକ ବିବରଣୀ-୧୬ ଦେଖନ୍ତୁ ।

ଈଶ୍ୱରଙ୍କ ରାଜ୍ୟ ପ୍ରତି ବିଶ୍ୱସ୍ତ ରହନ୍ତୁ

୩. ରାଜନୈତିକ ମାମଲାରେ ଯୀଶୁଙ୍କ ଦୃଷ୍ଟିକୋଣ କʼଣ ଥିଲା ?

ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେ ଦେଖିଲେ ଯେ ଲୋକମାନଙ୍କ ଜୀବନରେ ଅନେକ ସମସ୍ୟା ରହିଛି । ସେ ଲୋକମାନଙ୍କର ଚିନ୍ତା କରୁଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ । ତାʼ ଅର୍ଥ କʼଣ ଯୀଶୁ ନେତା ହୋଇଗଲେ ? ନା । ସେ ଜାଣୁଥିଲେ ଯେ ପ୍ରକୃତରେ ଈଶ୍ୱରଙ୍କ ରାଜ୍ୟ ହିଁ ଲୋକମାନଙ୍କ ସମସ୍ୟାର ସମାଧାନ କରିପାରିବ । ଯୀଶୁ ସେହି ରାଜ୍ୟର ରାଜା ହୁଅନ୍ତେ, ତେଣୁ ସେ ବିଶେଷ କରି ଏହି ରାଜ୍ୟ ବିଷୟରେ ପ୍ରଚାର କଲେ । (ଦାନିୟେଲ ୭:୧୩, ୧୪; ଲୂକ ୪:୪୩; ୧୭:୨୦, ୨୧) ଯୀଶୁ ରାଜନୀତିରେ ଭାଗ ନେଲେ ନାହିଁ ଏବଂ ସେ ନିଷ୍ପକ୍ଷ ରହିଲେ । ସେ ରୋମୀୟ ରାଜ୍ୟପାଳ ପନ୍ତୀୟ ପୀଲାତଙ୍କୁ କହିଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ ।” (ଯୋହନ ୧୮:୩୬) ଇଂରାଜୀରେ ଲିଖିତ ବହି ସଭ୍ୟତାର ରାସ୍ତାରେ ଲେଖାଅଛି ଯେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ “କୌଣସି ପ୍ରକାରର ରାଜନୈତିକ ପଦବୀରେ କାମ କରୁ ନ ଥିଲେ ।” ଆଜି ପ୍ରକୃତ ଖ୍ରୀଷ୍ଟିୟାନମାନେ ମଧ୍ୟ ରାଜନୀତିରେ ଭାଗ ନିଅନ୍ତି ନାହିଁ । ଆମେ ଈଶ୍ୱରଙ୍କ ରାଜ୍ୟକୁ ସମର୍ଥନ କରୁ ଏବଂ ଏହି ଜଗତର ରାଜନୈତିକ ମାମଲାଗୁଡ଼ିକରେ ନିଷ୍ପକ୍ଷ ରହୁ ।—ମାଥିଉ ୨୪:୧୪.

କʼଣ ଆପଣ ଅନ୍ୟମାନଙ୍କୁ ବୁଝାଇପାରିବେ ଯେ ଆପଣ କାହିଁକି ଈଶ୍ୱରଙ୍କ ରାଜ୍ୟକୁ ସମର୍ଥନ କରନ୍ତି ?

୪. ପ୍ରକୃତ ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କ ରାଜ୍ୟକୁ କିପରି ସହଯୋଗ କରନ୍ତି ?

ଯେତେବେଳେ ରାଜଦୂତ ଅନ୍ୟ କୌଣସି ଦେଶରେ ରହନ୍ତି, ସେତେବେଳେ ସେମାନେ ନିଜ ଦେଶର ପ୍ରତିନିଧି ଭାବେ କାମ କରନ୍ତି ଏବଂ ସେହି ଦେଶର ରାଜନୀତିରେ ଭାଗ ନିଅନ୍ତି ନାହିଁ । ଠିକ୍‌ ସେହିପରି, ଯେପର୍ଯ୍ୟନ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ପୃଥିବୀରେ ଅଛନ୍ତି, ସେପର୍ଯ୍ୟନ୍ତ ସେମାନେ ରାଜଦୂତ ଭାବେ କାମ କରନ୍ତି । ପାଉଲ ନିଜ ଚିଠିରେ ଲେଖିଲେ, “ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ ।” (୨ କରିନ୍ଥୀୟ ୫:୨୦) ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କ ରାଜ୍ୟ ଅର୍ଥାତ୍‌ ତାହାଙ୍କ ସରକାରର ପ୍ରତିନିଧି ଅଟନ୍ତି । ତେଣୁ ସେମାନେ ଜଗତର ରାଜନୈତିକ ଏବଂ ସରକାରୀ ମାମଲାରେ ହସ୍ତକ୍ଷେପ କରନ୍ତି ନାହିଁ । (ଫିଲିପ୍ପୀୟ ୩:୨୦) ଏହା ପରିବର୍ତ୍ତେ ସେମାନେ ଲୋକମାନଙ୍କୁ ଈଶ୍ୱରଙ୍କ ସରକାର ବିଷୟରେ ଶିଖାନ୍ତି । ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକମାନେ ଜାଣିପାରିଲେ ଯେ ନୂତନ ଜଗତରେ ଅନନ୍ତ ଜୀବନର ଆଶା ରହିଛି । ଏହି ଲୋକମାନଙ୍କୁ ବାଇବଲରେ “ଅନ୍ୟ ମେଷ” ବୋଲି କୁହାଯାଇଛି । ସେମାନେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସହଯୋଗ କରନ୍ତି ଏବଂ ସେମାନଙ୍କ ଭଳି ନିଷ୍ପକ୍ଷ ରହନ୍ତି । (ଯୋହନ ୧୦:୧୬; ମାଥିଉ ୨୫:୩୧-୪୦) ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଜଣେ ପ୍ରକୃତ ଖ୍ରୀଷ୍ଟିୟାନ କେବେ ମଧ୍ୟ ରାଜନୀତିରେ ଭାଗ ନିଏ ନାହିଁ ।—ଯିଶାଇୟ ୨:୨-୪ ପଢ଼ନ୍ତୁ ।

୫. ଖ୍ରୀଷ୍ଟିୟାନମାନେ କାହିଁକି ଯୁଦ୍ଧରେ ଭାଗ ନିଅନ୍ତି ନାହିଁ, ଏହାର ଗୋଟିଏ କାରଣ କୁହନ୍ତୁ ?

ପ୍ରକୃତ ଖ୍ରୀଷ୍ଟିୟାନମାନେ ଯୁଦ୍ଧରେ ଭାଗ ନିଅନ୍ତି ନାହିଁ । କାରଣ ସେମାନେ ବିଶ୍ୱାସ କରନ୍ତି ଯେ ପ୍ରକୃତ ଖ୍ରୀଷ୍ଟିୟାନମାନେ ଯେକୌଣସି ଦେଶ କିମ୍ବା ଅଞ୍ଚଳର ଥାʼନ୍ତୁ ନା କାହିଁକି, ସେମାନେ ଗୋଟିଏ ପରିବାରର ସଦସ୍ୟ । (୧ କରିନ୍ଥୀୟ ୧:୧୦) ଯଦି ଖ୍ରୀଷ୍ଟିୟାନମାନେ ଯୁଦ୍ଧରେ ଭାଗ ନେବେ, ତେବେ ସେମାନେ ନିଜ ପରିବାରର ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବେ । କିନ୍ତୁ ଯୀଶୁ ଆଜ୍ଞା ଦେଇଥିଲେ ଯେ ଖ୍ରୀଷ୍ଟିୟାନମାନେ ପରସ୍ପରକୁ ପ୍ରେମ କରିବା ଉଚିତ୍‌ । (ଯୋହନ ୧୩:୩୪, ୩୫; ୧ ଯୋହନ ୩:୧୦-୧୨) ଯୀଶୁ ଏହା ମଧ୍ୟ କହିଥିଲେ ଯେ ସେମାନେ ନିଜ ଶତ୍ରୁମାନଙ୍କୁ ମଧ୍ୟ ପ୍ରେମ କରିବା ଉଚିତ୍‌ ।—ମାଥିଉ ୫:୪୪; ୨୬:୫୨.

୬. ଯିହୋବାଙ୍କ ଲୋକମାନେ ସରକାରର ନିୟମଗୁଡ଼ିକୁ କେତେ ମହତ୍ତ୍ୱ ଦିଅନ୍ତି ?

ଏହା ସତ ଯେ ଆମେ ପ୍ରକୃତ ଖ୍ରୀଷ୍ଟିୟାନମାନେ ନିଷ୍ପକ୍ଷ ରହୁ । କିନ୍ତୁ ଆମେ ଭଲ ନାଗରିକ ହେବାର ନିଜ କର୍ତ୍ତବ୍ୟ ମଧ୍ୟ ପୂରଣ କରୁ । ଯେପରି— ଆମେ ସରକାରୀ ଅଧିକାରୀମାନଙ୍କର ଆଦର କରୁ, ସରକାରର ନିୟମଗୁଡ଼ିକୁ ପାଳନ କରୁ ଏବଂ କର ମଧ୍ୟ ଦେଉ । ଆମେ ଏହା ମଧ୍ୟ ଧ୍ୟାନ ରଖୁ ଯେ “ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ” ଦେଉ । (ମାର୍କ ୧୨:୧୭; ରୋମୀୟ ୧୩:୧-୭; ୧ କରିନ୍ଥୀୟ ୬:୧୯, ୨୦) ଆମେ ଏହା କିପରି କରୁ ? ଆମେ ଈଶ୍ୱରଙ୍କୁ ପ୍ରେମ କରୁ, ତାହାଙ୍କ ଆଜ୍ଞା ପାଳନ କରୁ ଏବଂ ତାହାଙ୍କ ଉପାସନା କରୁ । ଆମକୁ ନିଜ ଜୀବନ ଦେବାକୁ ପଡ଼ୁ ନା କାହିଁକି, ଆମେ ପ୍ରତ୍ୟେକ ପରିସ୍ଥିତିରେ ଯିହୋବାଙ୍କ ଆଜ୍ଞା ପାଳନ କରୁ ।—ଲୂକ ୪:୮; ୧୦:୨୭; ପ୍ରେରିତ ୫:୨୯; ରୋମୀୟ ୧୪:୮ ପଢ଼ନ୍ତୁ ।

‘ଜଗତର ଆତ୍ମାକୁ’ ବିରୋଧ କରନ୍ତୁ

୭, ୮. (କ) “ଜଗତର ଆତ୍ମା” ଏହାର ଅର୍ଥ କʼଣ ? (ଖ) ଏହା ଲୋକମାନଙ୍କ ଉପରେ କିପରି ପ୍ରଭାବ ପକାଏ ?

ଶୟତାନର ଜଗତରୁ ଅଲଗା ରହିବାର ଆଉ ଗୋଟିଏ ଉପାୟ ହେଉଛି, ‘ଜଗତର ଆତ୍ମାକୁ’ ବିରୋଧ କରିବା । ଆଜି ଲୋକମାନେ ଯେପରି ଚିନ୍ତାଧାରା ରଖନ୍ତି ଏବଂ ଯେଉଁଭଳି ଖରାପ କାମ କରନ୍ତି, ସେଗୁଡ଼ିକୁ ଜଗତର ଆତ୍ମା ବୋଲି କୁହାଯାଏ । ସେମାନଙ୍କଠାରେ ଏପରି ସ୍ୱଭାବ ଶୟତାନ ସୃଷ୍ଟି କରିଥାଏ । ଏହି ସ୍ୱଭାବ ଏପରି ଲୋକମାନଙ୍କଠାରେ ଦେଖିବାକୁ ମିଳେ, ଯେଉଁମାନେ ଯିହୋବାଙ୍କ ସେବା କରନ୍ତି ନାହିଁ । କିନ୍ତୁ ଖ୍ରୀଷ୍ଟିୟାନମାନେ ନିଜ ଭିତରେ ଏପରି ସ୍ୱଭାବକୁ ବଢ଼ିବାକୁ ଦିଅନ୍ତି ନାହିଁ । ପାଉଲ କହିଥିଲେ, “ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ ।”—୧ କରିନ୍ଥୀୟ ୨:୧୨; ଏଫିସୀୟ ୨:୧-୩; ଅଧିକ ବିବରଣୀ-୧୭ ଦେଖନ୍ତୁ ।

ଜଗତର ଆତ୍ମା ଲୋକମାନଙ୍କୁ ସ୍ୱାର୍ଥୀ, ଅହଂକାରୀ ଓ ବିଦ୍ରୋହୀ କରିଦିଏ । ଏହି ଆତ୍ମା ସେମାନଙ୍କୁ ଏହା ଭାବିବା ପାଇଁ ବାଧ୍ୟ କରେ ଯେ ସେମାନଙ୍କୁ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ଜରୁରୀ ନୁହେଁ । ଶୟତାନ ଚାହେଁ ଯେ ଆମେ ପରିଣାମ ବିଷୟରେ ଚିନ୍ତା ନ କରି ଯାହା ଇଚ୍ଛା ତାହା କରୁ । ସେ ଚାହେଁ ଲୋକେ ଏହା ବିଶ୍ୱାସ କରନ୍ତୁ ଯେ ନିଜ ଇଚ୍ଛା ପୂରଣ କରିବା ହିଁ ଜୀବନର ସବୁଠୁ ମହତ୍ତ୍ୱ କାମ ଅଟେ । (୧ ଯୋହନ ୨:୧୬; ୧ ତୀମଥି ୬:୯, ୧୦) ଶୟତାନ ବିଶେଷ କରି ଯିହୋବାଙ୍କ ଲୋକମାନଙ୍କୁ ଭୁଲ ବାଟରେ ନେବା ପାଇଁ ଚେଷ୍ଟା କରେ ଏବଂ ସେ ଚାହେଁ ଯେ ସେମାନେ ମଧ୍ୟ ତାʼ ଭଳି ଭାବନ୍ତୁ ।—ଯୋହନ ୮:୪୪; ପ୍ରେରିତ ୧୩:୧୦; ୧ ଯୋହନ ୩:୮.

୯. ଜଗତର ଆତ୍ମା ଆମ ଉପରେ କିପରି ପ୍ରଭାବ ପକାଇପାରେ ?

ଜଗତର ଆତ୍ମା ପବନ ଭଳି ସବୁଆଡ଼େ ବ୍ୟାପି ରହିଛି । ଯଦି ଆମେ ନିଜକୁ ଏହାଠାରୁ ରକ୍ଷା କରିବା ପାଇଁ ପରିଶ୍ରମ କରିବା ନାହିଁ, ତାହେଲେ ଏହା ଆମକୁ ପ୍ରଭାବିତ କରିବ । (ହିତୋପଦେଶ ୪:୨୩ ପଢ଼ନ୍ତୁ ।) ହୁଏତ ଆମେ ଜଗତର ଲୋକମାନଙ୍କ ଏପରି ଚିନ୍ତାଧାରା ଏବଂ କାମଗୁଡ଼ିକୁ ପସନ୍ଦ କରିପାରୁ, ଯାହା ଆମକୁ ଖରାପ ଲାଗି ନ ପାରେ । (ହିତୋପଦେଶ ୧୩:୨୦; ୧ କରିନ୍ଥୀୟ ୧୫:୩୩) ଏହା ସହିତ ଆମେ ଏପରି କିଛି କାମ କରିପାରୁ, ଯେପରି— ଅଶ୍ଳିଳ ଚିତ୍ର କିମ୍ବା ଫିଲ୍ମ ଦେଖିବା, ଯିହୋବାଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିବା ଲୋକଙ୍କ କଥା ଶୁଣିବା କିମ୍ବା ଏପରି ଖେଳରେ ଭାଗ ନେବା ଯେଉଁଠି କିଛି ବି କରି ଜିତିବା ବା ‘ଯାହା ବି ହୋଇଯାଉ ନା କାହିଁକି ମୁଁ ହିଁ ଜିତିବି’ ଭଳି ମନୋଭାବକୁ ପ୍ରୋତ୍ସାହନ ଦିଆଯାଏ ।—ଅଧିକ ବିବରଣୀ-୧୮ ଦେଖନ୍ତୁ ।

୧୦. ଜଗତର ଆତ୍ମାକୁ ବିରୋଧ କରିବା ପାଇଁ ଆମେ କʼଣ କରିବା ଉଚିତ୍‌ ?

୧୦ ଜଗତର ଆତ୍ମାକୁ ବିରୋଧ କରିବା ପାଇଁ ଆମେ କʼଣ କରିବା ଉଚିତ୍‌ ? ଆମକୁ ଯିହୋବାଙ୍କ ନିକଟତର ହୋଇ ରହିବାକୁ ପଡ଼ିବ, ତାହାଙ୍କ ମାର୍ଗଦର୍ଶନ ଅନୁସାରେ ଚାଲିବାକୁ ପଡ଼ିବ, ଲଗାତାର ପବିତ୍ର ଶକ୍ତି ପାଇଁ ପ୍ରାର୍ଥନା କରିବାକୁ ହେବ ଏବଂ ତାହାଙ୍କ ସେବାରେ ବ୍ୟସ୍ତ ରହିବାକୁ ହେବ । ଯିହୋବା ସମଗ୍ର ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ  ! ଆମେ ଭରସା ରଖିପାରିବା ଯେ ଜଗତର ଆତ୍ମାକୁ ବିରୋଧ କରିବା ପାଇଁ ସେ ଆମକୁ ନିଶ୍ଚୟ ସାହାଯ୍ୟ କରିବେ ।—୧ ଯୋହନ ୪:୪.

ନିଜ ପୋଷାକ ଓ ସଜବାଜରୁ ଯିହୋବାଙ୍କ ମହିମା କରନ୍ତୁ

୧୧. ଲୋକମାନେ ଯେପରି ପୋଷାକ ପିନ୍ଧନ୍ତି, ତାʼ ଉପରେ ଜଗତର ଆତ୍ମା କିପରି ପ୍ରଭାବ ପକାଇଛି ?

୧୧ ଆମେ ଯେପରି ପୋଷାକ ପିନ୍ଧୁ ଏବଂ ସଜବାଜ ହେଉ, ସେଥିରୁ ମଧ୍ୟ ଜଣାପଡ଼େ ଯେ ଆମେ ଜଗତର ଭାଗ ନୋହୁଁ । ଅନେକ ଲୋକ ଏପରି ପୋଷାକ ପିନ୍ଧନ୍ତି, ଯାହାଦ୍ୱାରା ଲୋକମାନଙ୍କ ଧ୍ୟାନ ତାଙ୍କ ଉପରେ ପଡ଼ୁ କିମ୍ବା ଦେଖୁଥିବା ଲୋକମାନଙ୍କ ମନରେ ଖରାପ ଚିନ୍ତା ଆସୁ । ବେଳେ ବେଳେ ସେମାନେ ଏହା ଦେଖାଇବାକୁ ଚାହାନ୍ତି ଯେ ସମାଜର ନିୟମ ମୁତାବକ ସେମାନେ ଚଳିବାକୁ ଚାହାନ୍ତି ନାହିଁ । କିଛି ଲୋକ ତାଙ୍କ ପାଖରେ କେତେ ପଇସା ଅଛି, ତାହା ଦେଖାଇବା ପାଇଁ ଦାମୀ ପୋଷାକ ପିନ୍ଧନ୍ତି । ଏପରି କିଛି ଲୋକମାନେ ଅଛନ୍ତି, ଯେଉଁମାନଙ୍କୁ ଫରକ ପଡ଼େ ନାହିଁ ଯେ ସେମାନେ କିପରି ଦେଖାଯାʼନ୍ତି । ସେମାନେ ସବୁବେଳେ ଅପରିଷ୍କାର ରହନ୍ତି । କିନ୍ତୁ ଆମେ ପୋଷାକ ପିନ୍ଧିବା ଏବଂ ସଜବାଜ ମାମଲାରେ ଜଗତର ଲୋକମାନଙ୍କ ପରି ହେବା ଉଚିତ୍‌ ନୁହେଁ ।

କʼଣ ମୋର ପୋଷାକ ଓ ସଜବାଜରୁ ଯିହୋବାଙ୍କ ମହିମା ହୁଏ ?

୧୨, ୧୩. ପୋଷାକ ପିନ୍ଧିବା ମାମଲାରେ କେଉଁ ସିଦ୍ଧାନ୍ତ ମନେ ରଖିବା ଉଚିତ୍‌ ?

୧୨ ଆମେ ଯିହୋବାଙ୍କ ସେବକ ଅଟୁ । ତେଣୁ ଆମ ପୋଷାକ ସଫାସୁତୁରା, ଦେଖିବାକୁ ସୁନ୍ଦର ଏବଂ ଜାଗା ଜାଣି ହେବା ଉଚିତ୍‌ । ଆମେ “ଲଜ୍ଜା [ମର୍ଯ୍ୟାଦା] ଓ ସୁବୁଦ୍ଧି ସହକାରେ” ପୋଷାକ ପିନ୍ଧିବା ଉଚିତ୍‌ । ଏଥିରୁ ଜଣାପଡ଼େ ଯେ ଆମେ “ଧର୍ମପରାୟଣା [ଈଶ୍ୱରଙ୍କ ଭକ୍ତି]” କରୁଥିବା ଲୋକ ଅଟୁ ।—୧ ତୀମଥି ୨:୯, ୧୦; ଯିହୂଦା ୨୧.

୧୩ ଆମେ ଯେପରି ପୋଷାକ ପିନ୍ଧୁ, ସେଥିରୁ ଲୋକମାନେ ଯିହୋବାଙ୍କ ଏବଂ ତାହାଙ୍କ ସେବକମାନଙ୍କ ବିଷୟରେ ଭଲ କିମ୍ବା ଖରାପ ଭାବିପାରନ୍ତି । ଆମେ “ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ” କରିବାକୁ ଚାହୁଁ । (୧ କରିନ୍ଥୀୟ ୧୦:୩୧) ଆମେ ମର୍ଯ୍ୟାଦାରେ ରହୁ ଅର୍ଥାତ୍‌ ଆମେ ଅନ୍ୟମାନଙ୍କ ଭାବନାକୁ ଆଦର କରୁ ଏବଂ ଏହା ଧ୍ୟାନରେ ରଖୁ ଯେ ତାଙ୍କ ଭାବନାକୁ ଆଘାତ ନ ପହଞ୍ଚୁ । ତେଣୁ ଯେତେବେଳେ ଆମେ ପୋଷାକ କିଣୁ କିମ୍ବା ନିଜକୁ ସଜବାଜ କରୁ, ସେତେବେଳେ ଆମେ ଧ୍ୟାନରେ ରଖିବା ଉଚିତ୍‌ ଯେ ଆମ ପସନ୍ଦ ନାପସନ୍ଦର ଅନ୍ୟମାନଙ୍କ ଉପରେ ପ୍ରଭାବ ପଡ଼େ ।—୧ କରିନ୍ଥୀୟ ୪:୯; ୨ କରିନ୍ଥୀୟ ୬:୩, ୪; ୭:୧.

୧୪. ପ୍ରଚାର ଓ ସଭା ପାଇଁ ପୋଷାକ ବାଛିବା ସମୟରେ ଆମେ କେଉଁ କଥା ମନେ ରଖିବା ଉଚିତ୍‌ ?

୧୪ ଆମେ ଧ୍ୟାନ ଦେବା ଉଚିତ୍‌ ଯେ ପ୍ରଚାର କିମ୍ବା ସଭାଗୁଡ଼ିକରେ ଆମେ କିପରି ପୋଷାକ ପିନ୍ଧୁ । କʼଣ ସମସ୍ତଙ୍କ ଧ୍ୟାନ ଆମ ଉପରେ ଆସେ ? କʼଣ ଲୋକମାନେ ଆମ ପାଖକୁ ଆସିବା ପୂର୍ବରୁ ଦୁଇ ତିନି ଥର ଭାବନ୍ତି ? କʼଣ ଆମେ ଏପରି ଭାବୁ ଯେ ‘ମୋ ଇଚ୍ଛା, ମୁଁ ଯାହା ମଧ୍ୟ ପିନ୍ଧେ । ଅନ୍ୟମାନଙ୍କର କʼଣ ଯାଉଛି ।’ (ଫିଲିପ୍ପୀୟ ୪:୫; ୧ ପିତର ୫:୬) ସୁନ୍ଦର ଦେଖାଯିବା ପାଇଁ ଆମେ ସମସ୍ତେ ଚାହୁଁ, କିନ୍ତୁ ଯେତେବେଳେ ଆମେ ଖ୍ରୀଷ୍ଟଙ୍କ ପରି ଗୁଣ ଦେଖାଇବା, ସେତେବେଳେ ଆମେ ପ୍ରକୃତରେ ସୁନ୍ଦର ଦେଖାଯିବା । ଯିହୋବା ମଧ୍ୟ ଯେତେବେଳେ ଆମକୁ ଦେଖନ୍ତି, ସେତେବେଳେ ସେ ଏହା ଦେଖନ୍ତି ନାହିଁ ଯେ ଆମେ କିପରି ଦେଖାଯାଉ ବରଂ ସେ ଆମ ଗୁଣଗୁଡ଼ିକୁ ଦେଖନ୍ତି । ଏହି ଗୁଣଗୁଡ଼ିକରୁ ଜଣାପଡ଼େ ଯେ ଆମେ ହୃଦୟରୁ କିପରି ବ୍ୟକ୍ତି ଅଟୁ । ଆଉ ଏହି “ହୃଦୟର . . . ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ।”—୧ ପିତର ୩:୩, ୪.

୧୫. ପୋଷାକ ପିନ୍ଧିବା ଓ ସଜବାଜ ମାମଲାରେ ଯିହୋବା ନିୟମଗୁଡ଼ିକର ସୂଚୀ କାହିଁକି ଦେଇ ନାହାନ୍ତି ?

୧୫ ଯିହୋବା ଆମକୁ ନିୟମଗୁଡ଼ିକର ସୂଚୀ ଦେଇ ନାହାନ୍ତି ଯେ ଆମେ କିପରି ପୋଷାକ ପିନ୍ଧିବା ଓ କିପରି ପୋଷାକ ପିନ୍ଧିବା ନାହିଁ । ଏହା ପରିବର୍ତ୍ତେ ସେ ବାଇବଲରେ କିଛି ସିଦ୍ଧାନ୍ତ ଦେଇଛନ୍ତି, ଯେଉଁଗୁଡ଼ିକୁ ଧ୍ୟାନରେ ରଖି ଆମେ ସଠିକ୍‌ ନିଷ୍ପତ୍ତି ନେଇପାରିବା । (ଏବ୍ରୀ ୫:୧୪) ଯିହୋବା ଚାହାନ୍ତି ଯେ ଆମ ପ୍ରତ୍ୟେକ ନିଷ୍ପତ୍ତିରୁ ତାହାଙ୍କ ଏବଂ ତାହାଙ୍କ ଲୋକମାନଙ୍କ ପାଇଁ ପ୍ରେମ ଜଣାପଡ଼ୁ । (ମାର୍କ ୧୨:୩୦, ୩୧ ପଢ଼ନ୍ତୁ ।) ପୂରା ଦୁନିଆରେ ଯିହୋବାଙ୍କ ଲୋକମାନେ ନିଜ ଅଞ୍ଚଳର ସଂସ୍କୃତି ଏବଂ ନିଜ ପସନ୍ଦ ମୁତାବକ ପୋଷାକ ପିନ୍ଧନ୍ତି । ଆମ ଭାଇଭଉଣୀଙ୍କ ଭିନ୍ନ ଭିନ୍ନ ବେଶଭୂଷା ଦେଖିବାକୁ ବହୁତ ସୁନ୍ଦର ଲାଗେ ଏବଂ ଏଥିରୁ ଆମକୁ ବହୁତ ଖୁସି ମିଳେ।

ଟଙ୍କାପଇସା ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖନ୍ତୁ

୧୬. (କ) ଟଙ୍କାପଇସା ବିଷୟରେ ଜଗତର ଚିନ୍ତାଧାରା ଏବଂ ଯୀଶୁଙ୍କ ଶିକ୍ଷା ମଧ୍ୟରେ କʼଣ ପାର୍ଥକ୍ୟ ରହିଛି ? (ଖ) ଆମେ ନିଜକୁ କେଉଁ ପ୍ରଶ୍ନ କରିବା ଉଚିତ୍‌ ?

୧୬ ଶୟତାନ ଚାହେଁ ଲୋକମାନେ ଭାବନ୍ତୁ ଯେ ଟଙ୍କାପଇସା ଓ ସୁଖସୁବିଧା ଥିଲେ ହିଁ ପ୍ରକୃତ ଖୁସି ମିଳେ । କିନ୍ତୁ ଯିହୋବାଙ୍କ ସେବକ ଜାଣନ୍ତି ଯେ ଏହା ସତ ନୁହେଁ । ଆମେ ଯୀଶୁଙ୍କ ଏହି କଥାକୁ ଭରସା କରୁ, “ଜଣେ ଲୋକର ଜୀବନ ତାହାର ସମ୍ପତ୍ତିର ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ ।” (ଲୂକ ୧୨:୧୫) ଆମକୁ ଟଙ୍କାପଇସା ପ୍ରକୃତ ଖୁସି ଦେଇପାରିବ ନାହିଁ । ଏହା ଆମକୁ ପ୍ରକୃତ ମିତ୍ର ଦେଇପାରିବ ନାହିଁ ଏବଂ ମନର ଶାନ୍ତି କିମ୍ବା ଅନନ୍ତ ଜୀବନ ମଧ୍ୟ ଦେଇପାରିବ ନାହିଁ । ଯୀଶୁ ଶିଖାଇଲେ ଯେ ଈଶ୍ୱରଙ୍କ ସହିତ ଏକ ଭଲ ସମ୍ପର୍କ ହେଲେ ଏବଂ ତାହାଙ୍କ ଉପାସନାକୁ ଜୀବନରେ ସବୁଠୁ ଅଧିକ ମହତ୍ତ୍ୱ ଦେଲେ ହିଁ ପ୍ରକୃତ ଖୁସି ମିଳିପାରିବ । (ମାଥିଉ ୫:୩; ୬:୨୨) ଏହା ସତ ଯେ ଆମେ ମଧ୍ୟ ଜୀବନର ଆନନ୍ଦ ନେଇପାରିବା ଏବଂ ଆମ ପାଖରେ ଆବଶ୍ୟକ ହେଉଥିବା ଜିନିଷ ରଖିପାରିବା । କିନ୍ତୁ ଆମେ ନିଜକୁ ପଚାରିବା ଉଚିତ୍‌, ‘ଜଗତର ଲୋକମାନଙ୍କ ଭଳି କʼଣ ମୁଁ ମଧ୍ୟ ଏହା ଭାବେ ଯେ ଟଙ୍କାପଇସା ହିଁ ସବୁକିଛି ? କʼଣ ମୁଁ ସବୁବେଳେ ଟଙ୍କାପଇସା ବିଷୟରେ ଭାବୁଥାଏ କିମ୍ବା କଥା ହେଉଥାଏ ?’—ଲୂକ ୬:୪୫; ୨୧:୩୪-୩୬; ୨ ଯୋହନ ୬.

୧୭. ଯଦି ଆମେ ଟଙ୍କାପଇସା ପଛରେ ଗୋଡ଼ାଇବା ନାହିଁ, ତେବେ ଆମର କʼଣ ଲାଭ ହେବ ?

୧୭ ଯଦି ଆମେ ଯିହୋବାଙ୍କ ସେବା କରିବା ଏବଂ ଜଗତର ଲୋକମାନଙ୍କ ପରି ପଇସା ପଛରେ ଗୋଡ଼ାଇବା ନାହିଁ, ତେବେ ଆମେ ଉତ୍ତମ ଜୀବନ ଜୀଇଁପାରିବା । (ମାଥିଉ ୧୧:୨୯, ୩୦) ଆମେ ସନ୍ତୁଷ୍ଟ ରହିବା ଏବଂ ମନର ଶାନ୍ତି ପାଇବା । (ମାଥିଉ ୬:୩୧, ୩୨; ରୋମୀୟ ୧୫:୧୩) ଆମେ ସୁଖସୁବିଧାର ଜିନିଷ ହାସଲ କରିବା ପାଇଁ ଚିନ୍ତା କରିବା ନାହିଁ । (୧ ତୀମଥି ୬:୯, ୧୦ ପଢ଼ନ୍ତୁ ।) ଆମେ ନିଜ ପରିବାର ଓ ମିତ୍ରମାନଙ୍କ ସହିତ ଅଧିକ ସମୟ ବିତାଇପାରିବା । ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା ଏବଂ ଖୁସିରେ ରହିପାରିବା । (ପ୍ରେରିତ ୨୦:୩୫) ଆମକୁ ଭଲ ନିଦ ମଧ୍ୟ ହେବ ।—ଉପଦେଶକ ୫:୧୨.

“ସମସ୍ତ ଯୁଦ୍ଧସଜ୍ଜା ପରିଧାନ କର”

୧୮. ଶୟତାନ କʼଣ କରିବାକୁ ଚେଷ୍ଟା କରୁଛି ?

୧୮ ଯିହୋବାଙ୍କ ସହିତ ଆମ ସମ୍ପର୍କକୁ ବଜାୟ ରଖିବା ପାଇଁ ଆମେ ବହୁତ ପରିଶ୍ରମ କରିବା ଉଚିତ୍‌ । ଶୟତାନ ଏହି ସମ୍ପର୍କକୁ ଭାଙ୍ଗିବା ପାଇଁ ପୂରା ଚେଷ୍ଟା କରୁଛି । ତାʼ ସହ ଆମେ “ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ” ମଧ୍ୟ ଲଢ଼ୁଛୁ । (ଏଫିସୀୟ ୬:୧୨) ଶୟତାନ ଏବଂ ଦୁଷ୍ଟାତ୍ମାମାନେ ଚାହାନ୍ତି ନାହିଁ ଯେ ଆମେ ଖୁସିରେ ରହୁ କିମ୍ବା ଅନନ୍ତ ଜୀବନ ପାଉ । (୧ ପିତର ୫:୮) ଏହି ଶତ୍ରୁମାନେ ବହୁତ ଶକ୍ତିଶାଳୀ, ତଥାପି ଆମେ ତାଙ୍କ ଉପରେ ବିଜୟ ହାସଲ କରିପାରିବା । କାରଣ ଯିହୋବା ଆମ ସହିତ ଅଛନ୍ତି ।

୧୯. ଏଫିସୀୟ ୬:୧୪-୧୮ ପଦରେ କେଉଁ କେଉଁ “ଯୁଦ୍ଧସଜ୍ଜା” ବିଷୟରେ କୁହାଯାଇଛି ?

୧୯ ପ୍ରାଚୀନ କାଳରେ ସୈନିକମାନେ ନିଜକୁ ରକ୍ଷା କରିବା ପାଇଁ ଯୁଦ୍ଧରେ ଯିବା ପୂର୍ବରୁ ନିଜ ସମସ୍ତ ଅସ୍ତ୍ରଶସ୍ତ୍ର ପିନ୍ଧୁଥିଲେ । ଆମେ ମଧ୍ୟ ଯିହୋବା ଦେଇଥିବା “ସମସ୍ତ ଯୁଦ୍ଧସଜ୍ଜା” ପରିଧାନ କରିବା ଉଚିତ୍‌ । (ଏଫିସୀୟ ୬:୧୩, NIBV ) ଏହା ଆମକୁ ଶୟତାନଠାରୁ ରକ୍ଷା କରିବ । ଏଫିସୀୟ ୬:୧୪-୧୮ ପଦରେ ଏହି ଯୁଦ୍ଧସଜ୍ଜା ବିଷୟରେ କୁହାଯାଇଛି । ସେଇଠି ଲେଖାଅଛି, “ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତାରୂପ ଉରସ୍ତ୍ରାଣ ପରିଧାନ କର, ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜତାରୂପ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ; ସେଥି ସଙ୍ଗେ ସଙ୍ଗେ, ଯଦ୍ଦ୍ୱାରା ପାପାତ୍ମାର ଅଗ୍ନିବାଣସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସରୂପ ଢାଲ ଧର । ପୁଣି, ପରିତ୍ରାଣରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡ଼୍‌ଗ, ଅର୍ଥାତ୍‌ ଈଶ୍ୱରଙ୍କ ବାକ୍ୟ ଧାରଣ କର; ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର ।”

୨୦. ଆମେ କʼଣ କଲେ ଯିହୋବା ଦେଇଥିବା ଯୁଦ୍ଧସଜ୍ଜା ଆମକୁ ରକ୍ଷା କରିପାରିବ ?

୨୦ ଯଦି ଜଣେ ସୈନିକ କୌଣସି ଅସ୍ତ୍ର ପିନ୍ଧିବା ଭୁଲିଯାଏ, ତେବେ ଶତ୍ରୁ ଶରୀରର ସେହି ଭାଗକୁ ଆକ୍ରମଣ କରିଥାଏ । ଠିକ୍‌ ସେହିପରି, ଯଦି ଆମେ ଚାହୁଁ ଯେ ଆମ “ଯୁଦ୍ଧସଜ୍ଜା” ଆମକୁ ରକ୍ଷା କରୁ, ତେବେ ଆମେ ସେ ମଧ୍ୟରୁ ଗୋଟିଏ ବି ଭୁଲିବା ଉଚିତ୍‌ ନୁହେଁ । ଆମେ ସବୁବେଳେ ଏହି ଯୁଦ୍ଧସଜ୍ଜାଗୁଡ଼ିକୁ ପିନ୍ଧି ରହିବା ଉଚିତ୍‌ ଏବଂ ସେଗୁଡ଼ିକୁ ଭଲ ଅବସ୍ଥାରେ ରଖିବା ଉଚିତ୍‌ । ଯେପର୍ଯ୍ୟନ୍ତ ଏ ଜଗତର ବିନାଶ ହୋଇ ନାହିଁ ଏବଂ ଶୟତାନ ଓ ତାʼ ଦୂତମାନଙ୍କୁ ବନ୍ଦୀ କରାଯାଇ ନାହିଁ, ସେପର୍ଯ୍ୟନ୍ତ ଆମକୁ ଏହି ଲଢ଼େଇ ଲଢ଼ିବାକୁ ପଡ଼ିବ । (ପ୍ରକାଶିତ ବାକ୍ୟ ୧୨:୧୭; ୨୦:୧-୩) ଯଦି ଆମେ ନିଜ କୌଣସି ଖରାପ ଇଚ୍ଛା କିମ୍ବା କୌଣସି ଦୁର୍ବଳତାକୁ ନେଇ ବହୁତ ସଂଘର୍ଷ କରୁଛୁ, ତେବେ ଆମେ କେବେ ମଧ୍ୟ ହାର୍‌ ମାନିବା ଉଚିତ୍‌ ନୁହେଁ ।—୧ କରିନ୍ଥୀୟ ୯:୨୭.

୨୧. ଆମେ ଶୟତାନ ବିରୁଦ୍ଧରେ କିପରି ଜୟ ହାସଲ କରିପାରିବା ?

୨୧ ଦେଖିବାକୁ ଗଲେ ଶୟତାନ ଆମଠାରୁ ବହୁତ ଶକ୍ତିଶାଳୀ । କିନ୍ତୁ ଯିହୋବା ଆମ ସହ ଅଛନ୍ତି, ତେଣୁ ଆମେ ଶୟତାନ ବିରୁଦ୍ଧରେ ଜୟ ହାସଲ କରିପାରିବା । ଆମେ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌, ତାହାଙ୍କ ବାକ୍ୟ ଅଧ୍ୟୟନ କରିବା ଉଚିତ୍‌ ଏବଂ ଭାଇଭଉଣୀଙ୍କ ସହ ମିତ୍ରତା କରିବା ଉଚିତ୍‌ । (ଏବ୍ରୀ ୧୦:୨୪, ୨୫) ଏସବୁ କଲେ ଆମେ ଈଶ୍ୱରଙ୍କ ବିଶ୍ୱସ୍ତ ରହିପାରିବା ଏବଂ ନିଜ ବିଶ୍ୱାସ ପକ୍ଷରେ କହିବା ପାଇଁ ସର୍ବଦା ପ୍ରସ୍ତୁତ ରହିପାରିବା ।

ନିଜ ବିଶ୍ୱାସ ପକ୍ଷରେ କହିବା ପାଇଁ ସର୍ବଦା ପ୍ରସ୍ତୁତ ରହନ୍ତୁ

୨୨, ୨୩. (କ) ନିଜ ବିଶ୍ୱାସ ପକ୍ଷରେ କହିବା ପାଇଁ ଆମେ ପୂର୍ବରୁ କିପରି ପ୍ରସ୍ତୁତି କରିପାରିବା ? (ଖ) ପରବର୍ତ୍ତୀ ଅଧ୍ୟାୟରେ ଆମେ କେଉଁ ବିଷୟରେ ଆଲୋଚନା କରିବା ?

୨୨ ଆମେ ନିଜ ବିଶ୍ୱାସ ପକ୍ଷରେ କହିବା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍‌ । (ଯୋହନ ୧୫:୧୯) କିଛି ମାମଲାଗୁଡ଼ିକରେ ଯିହୋବାଙ୍କ ସାକ୍ଷୀମାନଙ୍କ ବିଶ୍ୱାସ ଜଗତର ଅଧିକାଂଶ ଲୋକମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା । ନିଜକୁ ପଚାରନ୍ତୁ, ‘କଅଣ ମୁଁ ଭଲ ଭାବେ ବୁଝିଛି ଯେ ସାକ୍ଷୀମାନେ କୌଣସି ମାମଲାରେ ଏପରି ବିଶ୍ୱାସ କାହିଁକି କରନ୍ତି ? କʼଣ ମୁଁ ପୂରା ଭରସା କରେ ଯେ ବାଇବଲରେ ଯାହା ଲେଖାଅଛି ଏବଂ ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ ଯାହା କହେ ତାହା ସମ୍ପୂର୍ଣ୍ଣ ସଠିକ୍‌ ? (ମାଥିଉ ୨୪:୪୫; ଯୋହନ ୧୭:୧୭) ଜଣେ ଯିହୋବାଙ୍କ ସାକ୍ଷୀ ହେବାରୁ କʼଣ ମୁଁ ଗର୍ବ ଅନୁଭବ କରେ ? (ଗୀତସଂହିତା ୩୪:୨; ମାଥିଉ ୧୦:୩୨, ୩୩) ମୁଁ ଯାହା ବିଶ୍ୱାସ କରେ, କʼଣ ତାʼର କାରଣ ମୁଁ ଅନ୍ୟମାନଙ୍କୁ କହିପାରେ ?’—୧ ପିତର ୩ :୧୫ ପଢ଼ନ୍ତୁ ।

୨୩ ଅନେକ ମାମଲାଗୁଡ଼ିକରେ ଆମେ ଭଲଭାବେ ଜାଣୁ ଯେ ଜଗତର ଲୋକଙ୍କଠାରୁ ଅଲଗା ରହିବା ପାଇଁ ଆମେ କʼଣ କରିବା ଉଚିତ୍‌ । କିନ୍ତୁ କିଛି ମାମଲାଗୁଡ଼ିକରେ ଆମେ ସ୍ପଷ୍ଟ ଭାବେ ଜାଣି ନ ଥାଉ ଯେ ଆମେ କʼଣ କରିବା ଉଚିତ୍‌ । ଏପରି ସମୟରେ ଶୟତାନ ଆମକୁ ଭିନ୍ନ ଭିନ୍ନ ଉପାୟ ବ୍ୟବହାର କରି ଫାନ୍ଦରେ ପକାଇବା ପାଇଁ ଚେଷ୍ଟା କରେ । ତାʼର ଗୋଟିଏ ଫାନ୍ଦ ହେଉଛି— ମନୋରଞ୍ଜନ । ଆମେ କିପରି ଜାଣିପାରିବା ଯେ କେଉଁ ମନୋରଞ୍ଜନ ଭଲ ଏବଂ କେଉଁ ମନୋରଞ୍ଜନ ଭଲ ନୁହେଁ, ଏବିଷୟରେ ପରବର୍ତ୍ତୀ ଅଧ୍ୟାୟରେ ଆମେ ଦେଖିବା ।