इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୭

ଈଶ୍ୱରଙ୍କ ପରି ଜୀବନକୁ ବହୁମୂଲ୍ୟ ମନେ କରନ୍ତୁ

ଈଶ୍ୱରଙ୍କ ପରି ଜୀବନକୁ ବହୁମୂଲ୍ୟ ମନେ କରନ୍ତୁ

“ତୁମ୍ଭଠାରେ ଜୀବନର ନିର୍ଝର ଅଛି ।”—ଗୀତସଂହିତା ୩୬:୯.

୧, ୨. (କ) ଈଶ୍ୱର ଆମକୁ ବହୁମୂଲ୍ୟ ଉପହାର ଭାବେ କʼଣ ଦେଇଛନ୍ତି ? (ଖ) ଆମେ ନିଜ ଜୀବନକୁ ଭଲଭାବେ ଜୀଉଁ ବୋଲି ଯିହୋବା ଆମକୁ କʼଣ ଦେଇଛନ୍ତି ?

 ଯିହୋବା ଆମ ସମସ୍ତଙ୍କୁ ଏକ ବହୁମୂଲ୍ୟ ଉପହାର ଦେଇଛନ୍ତି, ତାହା ହେଉଛି ଜୀବନ । (ଆଦି ପୁସ୍ତକ ୧:୨୭) ଆମେ ନିଜ ଜୀବନକୁ ଭଲଭାବେ ଜୀଉଁ ବୋଲି ସେ ଚାହାନ୍ତି । ତେଣୁ ସେ ଆମକୁ କିଛି ସିଦ୍ଧାନ୍ତ ଦେଇଛନ୍ତି, ଯାହାଫଳରେ ଆମେ ସଠିକ୍‌ ନିଷ୍ପତ୍ତି ନେଇପାରିବା । ଆମେ ଏହି ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି “ଭଲ ମନ୍ଦ ନିରୂପଣ” କରିବା ଉଚିତ୍‌ । (ଏବ୍ରୀ ୫:୧୪) ଯେତେବେଳେ ଆମେ ଏପରି କରିଥାଉ, ସେତେବେଳେ ଆମେ ଯିହୋବାଙ୍କଠାରୁ ଶିଖୁ ଯେ ଆମେ ନିଜ ଜ୍ଞାନେନ୍ଦ୍ରିୟଗୁଡ଼ିକୁ କିପରି ବ୍ୟବହାର କରିବା ଉଚିତ୍‌ । ଯିହୋବାଙ୍କ ସିଦ୍ଧାନ୍ତଗୁଡ଼ିକୁ ପାଳନ କଲେ ଆମେ ନିଜେ ଦେଖିପାରିବା ଏବଂ ଜାଣିପାରିବା ଯେ ଏହି ସିଦ୍ଧାନ୍ତଗୁଡ଼ିକ ଆମ ଜୀବନ ପାଇଁ କେତେ ଲାଭଦାୟକ ।

ଆମ ଜୀବନରେ ଅନେକ ଥର ଏପରି ପରିସ୍ଥିତି ଆସେ, ଯେତେବେଳେ ଆମେ ବୁଝିପାରି ନ ଥାଉ ଯେ ଆମେ କʼଣ କରିବା । ଏପରିକି ସେହି ପରିସ୍ଥିତି କିମ୍ବା ସେହି ବିଷୟରେ ବାଇବଲରେ କୌଣସି ସ୍ପଷ୍ଟ ନିୟମ ଦିଆଯାଇ ନ ଥାଏ । ଯେପରି— ଚିକିତ୍ସା କ୍ଷେତ୍ରରେ । କିଛି ଚିକିତ୍ସାରେ ରକ୍ତର ବ୍ୟବହାର କରାଯାଏ । ହୁଏତ ଆମକୁ ନିଷ୍ପତ୍ତି ନେବାକୁ ପଡ଼ିପାରେ ଯେ ଆମେ ସେହି ପ୍ରକାରର ଚିକିତ୍ସା କରିବା ନା ନାହିଁ । ଆମେ ସଠିକ୍‌ ନିଷ୍ପତ୍ତି କିପରି ନେଇପାରିବା, ଯାହାଦ୍ୱାରା ଯିହୋବା ଖୁସି ହେବେ ? ବାଇବଲରେ କିଛି ସିଦ୍ଧାନ୍ତ ଦିଆଯାଇଛି, ଯାହାଦ୍ୱାରା ଆମକୁ ଜଣାପଡ଼େ ଯେ ଜୀବନ ଓ ରକ୍ତ ମାମଲାରେ ଯିହୋବାଙ୍କ ଦୃଷ୍ଟିକୋଣ କʼଣ । ଯଦି ଆମେ ଏହି ସିଦ୍ଧାନ୍ତଗୁଡ଼ିକୁ ବୁଝିବା, ତେବେ ଆମେ ସଠିକ୍‌ ନିଷ୍ପତ୍ତି ନେଇପାରିବା ଏବଂ ଆମ ବିବେକ ମଧ୍ୟ ଶୁଦ୍ଧ ରହିବ । (ହିତୋପଦେଶ ୨:୬-୧୧) ଆସନ୍ତୁ ସେମଧ୍ୟରୁ କିଛି ସିଦ୍ଧାନ୍ତଗୁଡ଼ିକ ପ୍ରତି ଧ୍ୟାନ ଦେବା ।

ଜୀବନ ଓ ରକ୍ତ ବିଷୟରେ ଈଶ୍ୱରଙ୍କ ଦୃଷ୍ଟିକୋଣ

୩, ୪. (କ) ଈଶ୍ୱର ରକ୍ତ ବିଷୟରେ ନିଜ ଦୃଷ୍ଟିକୋଣ କିପରି ଜଣାଇଲେ ? (ଖ) ରକ୍ତ କାହାକୁ ଦର୍ଶାଏ ?

ବାଇବଲରେ ରକ୍ତକୁ ପବିତ୍ର କୁହାଯାଇଛି, କାରଣ ଏହା ଜୀବନକୁ ଦର୍ଶାଏ । ଜୀବନ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟେ । ଯେତେବେଳେ କୟିନ ନିଜ ଭାଇକୁ ହତ୍ୟା କଲା, ସେତେବେଳେ ଯିହୋବା ତାକୁ କହିଲେ, “ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି ।” (ଆଦି ପୁସ୍ତକ ୪:୧୦) ଯିହୋବା ଯେତେବେଳେ କହିଲେ ଯେ ହେବଲଙ୍କ ରକ୍ତ ଡାକ ପକାଉଅଛି, ସେତେବେଳେ ସେ ହେବଲଙ୍କ ଜୀବନ ବିଷୟରେ କହୁଥିଲେ, କାରଣ ରକ୍ତ ଜୀବନକୁ ଦର୍ଶାଏ ।

ଜଳପ୍ଳାବନ ପରେ ଈଶ୍ୱର ନୋହଙ୍କୁ କହିଲେ ଯେ ଏବେଠାରୁ ମଣିଷ ପଶୁମାନଙ୍କର ମାଂସ ଖାଇପାରିବ । କିନ୍ତୁ ସେ ଏହା ମଧ୍ୟ କହିଥିଲେ, ‘ତୁମ୍ଭେମାନେ ସପ୍ରାଣ [ରକ୍ତ ସହିତ] ମାଂସ ଖାଇବ ନାହିଁ ।’ (ଆଦି ପୁସ୍ତକ ୯:୪) ନୋହଙ୍କ ଭଳି ତାଙ୍କ ସମସ୍ତ ବଂଶଜମାନଙ୍କୁ ମଧ୍ୟ ଏହି ଆଜ୍ଞା ପାଳନ କରିବାର ଥିଲା । ଏହାର ଅର୍ଥ, ଆଜି ଆମେ ମଧ୍ୟ ଏହି ଆଜ୍ଞାକୁ ପାଳନ କରିବା ଉଚିତ୍‌ । ଯିହୋବାଙ୍କ ଦୃଷ୍ଟିରେ ରକ୍ତ ଜୀବନକୁ ଦର୍ଶାଏ । ତେଣୁ ଆମେ ମଧ୍ୟ ରକ୍ତ ମାମଲାରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବା ଉଚିତ୍‌ ।—ଗୀତସଂହିତା ୩୬:୯.

୫, ୬. ମୋଶାଙ୍କ ନିୟମରୁ ଜୀବନ ଓ ରକ୍ତ ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ କିପରି ଜଣାପଡ଼େ ?

ମୋଶାଙ୍କ ନିୟମରେ ଯିହୋବା କହିଥିଲେ ଯେ ‘କୌଣସି ଲୋକ ଯେବେ କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତଭୋକ୍ତା ପ୍ରାଣୀର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା; କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ ।’—ଲେବୀ ପୁସ୍ତକ ୧୭:୧୦, ୧୧.

ଯିହୋବା ଏହା ମଧ୍ୟ କହିଥିଲେ ଯେ ଯଦି କେହି କୌଣସି ପଶୁକୁ ଖାଇବା ଉଦ୍ଦେଶ୍ୟରେ ମାରନ୍ତି, ତେବେ ସେ ତାହାର ରକ୍ତକୁ ଭୂମିରେ ଢାଳି ଦିଅନ୍ତୁ । ଏପରି କରିବା ଦେଖାଇବ ଯେ ସେ ସେହି ପଶୁର ରକ୍ତ ତାହାର ସୃଷ୍ଟିକର୍ତ୍ତା ଯିହୋବାଙ୍କୁ ଫେରାଉଛନ୍ତି । (ଦ୍ୱିତୀୟ ବିବରଣ ୧୨:୧୬; ଯିହିଜିକଲ ୧୮:୪) କିନ୍ତୁ ଯିହୋବା ଇସ୍ରାଏଲୀୟମାନଙ୍କୁ ସେହି ପଶୁର ରକ୍ତର ପ୍ରତ୍ୟେକ ଟୋପାକୁ ବାହାର କରିବା ପାଇଁ କହି ନ ଥିଲେ । କେବଳ ସେମାନଙ୍କୁ ରକ୍ତକୁ ଭଲ ଭାବରେ ବାହାର କରିବାର ଥିଲା । ତାʼପରେ ସେମାନେ ମାଂସକୁ ନିଃସଙ୍କୋଚରେ ଖାଇପାରିଥାʼନ୍ତେ ଏବଂ ଈଶ୍ୱରଙ୍କ ଦୃଷ୍ଟିରେ ସେମାନଙ୍କ ବିବେକ ଶୁଦ୍ଧ ମଧ୍ୟ ଥାʼନ୍ତା । ଏପରି ଭାବରେ ପଶୁର ରକ୍ତକୁ ବହୁମୂଲ୍ୟ ମନେ କରି ସେମାନେ ଜୀବନଦାତା ଯିହୋବାଙ୍କର ଆଦର କରନ୍ତେ । ଇସ୍ରାଏଲୀୟମାନଙ୍କୁ ଏହା ମଧ୍ୟ ଆଜ୍ଞା ଦିଆଯାଇଥିଲା ଯେ ସେମାନଙ୍କୁ ନିଜ ପାପର କ୍ଷମା ପାଇଁ ପଶୁମାନଙ୍କର ବଳିଦାନ ଦେବାକୁ ପଡ଼ିବ ।—ଅଧିକ ବିବରଣୀ-୧୯, ୨୦ ଦେଖନ୍ତୁ ।

୭. ରକ୍ତକୁ ବହୁମୂଲ୍ୟ ମନେ କରିବା ଯୋଗୁଁ ଦାଉଦ କʼଣ କଲେ ?

ରକ୍ତ କେତେ ବହୁମୂଲ୍ୟ ଅଟେ, ଏହା ଆମେ ଦାଉଦଙ୍କଠାରୁ ଶିଖିପାରିବା । ଥରେ ସେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ଯାଇଥିଲେ । ତାଙ୍କୁ ବହୁତ ଶୋଷ ଲାଗିଥିଲା, ତେଣୁ ତାଙ୍କ ଲୋକେ ନିଜ ଜୀବନକୁ ବିପଦରେ ପକାଇ ଶତ୍ରୁମାନଙ୍କ ଅଞ୍ଚଳରେ ଯାଇ ପାଣି ଆଣିଥିଲେ । କିନ୍ତୁ ଯେତେବେଳେ ସେମାନେ ଦାଉଦଙ୍କୁ ପାଣି ଦେଲେ, ସେ ତାହା ପିଇଲେ ନାହିଁ, ବରଂ ସେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳି ଦେଲେ ।” ସେ କହିଲେ, “ହେ ସଦାପ୍ରଭୋ, ମୁଁ ଯେ ଏ କର୍ମ କରିବି, ଏହା ମୋʼଠାରୁ ଦୂର ହେଉ; ପ୍ରାଣପଣରେ ଗମନକାରୀ ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି ?” ଦାଉଦ ଜାଣିଥିଲେ ଯେ ଈଶ୍ୱରଙ୍କ ଦୃଷ୍ଟିରେ ଜୀବନ ଓ ରକ୍ତ ବହୁମୂଲ୍ୟ ଅଟେ ।—୨ ଶାମୁୟେଲ ୨୩:୧୫-୧୭.

୮, ୯. ରକ୍ତ ବିଷୟରେ ଖ୍ରୀଷ୍ଟିୟାନମାନଙ୍କ ଦୃଷ୍ଟିକୋଣ କିପରି ହେବା ଉଚିତ୍‌ ?

ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ରକ୍ତକୁ ପବିତ୍ର ମନେ କରିବାର ଥିଲା । ଯଦିଓ ସେସମୟ ପର୍ଯ୍ୟନ୍ତ ପଶୁମାନଙ୍କର ବଳି କରିବାର ନିୟମ ରଦ୍ଦ ହୋଇଯାଇଥିଲା, ତଥାପି ମୋଶାଙ୍କ ନିୟମରେ ଥିବା କିଛି ନିୟମ ରଦ୍ଦ ହୋଇ ନ ଥିଲା, ଯେପରି ‘ରକ୍ତରୁ ପୃଥକ୍‌ ରହିବା’ ନିୟମ । ଖ୍ରୀଷ୍ଟିୟାନମାନଙ୍କୁ ବ୍ୟଭିଚାର ଓ ମୂର୍ତ୍ତିପୂଜାଠାରୁ ଦୂରେଇ ରହିବା ଆଜ୍ଞା ପାଳନ କରିବା ଯେତେ ଜରୁରୀ ଥିଲା, ରକ୍ତରୁ ପୃଥକ୍‌ ରହିବା ନିୟମକୁ ପାଳନ କରିବା ମଧ୍ୟ ଠିକ୍‌ ସେତିକି ଜରୁରୀ ଥିଲା ।—ପ୍ରେରିତ ୧୫:୨୮, ୨୯.

କʼଣ ଆପଣ ରକ୍ତର ଉପାଦାନ ବିଷୟରେ ନିଜ ନିଷ୍ପତ୍ତି ଅନ୍ୟମାନଙ୍କୁ ବୁଝାଇପାରିବେ ?

ରକ୍ତ ବିଷୟରେ ଯିହୋବା ଦେଇଥିବା ନିୟମକୁ ପାଳନ କରିବା ଆଜି ମଧ୍ୟ ଜରୁରୀ । ଜଣେ ଖ୍ରୀଷ୍ଟିୟାନ ହୋଇଥିବାରୁ ଆମେ ଜାଣୁ ଯେ ଯିହୋବା ହିଁ ସମସ୍ତଙ୍କୁ ଜୀବନ ଦିଅନ୍ତି ଏବଂ ସେ ସମସ୍ତଙ୍କ ଜୀବନର ମାଲିକ ଅଟନ୍ତି । ଆମେ ଏହା ମଧ୍ୟ ଜାଣୁ ଯେ ରକ୍ତ ପବିତ୍ର ଅଟେ ଏବଂ ଏହା ଜୀବନକୁ ଦର୍ଶାଏ । ତେଣୁ ଆମେ ଚିକିତ୍ସା ମାମଲାରେ ସାବଧାନ ରହୁ, କାରଣ କିଛି ପ୍ରକାରର ଚିକିତ୍ସାରେ ରକ୍ତର ବ୍ୟବହାର କରାଯାଏ । ଆମେ ଏପରି ଚିକିତ୍ସା ସ୍ୱୀକାର କରିବା ନା ନାହିଁ, ଏହି ନିଷ୍ପତ୍ତି ନେବା ସମୟରେ ଆମେ ବାଇବଲର ସିଦ୍ଧାନ୍ତଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍‌ ।

ଚିକିତ୍ସାରେ ରକ୍ତର ବ୍ୟବହାର

୧୦, ୧୧. (କ) ରକ୍ତ ଓ ଏହାର ଚାରୋଟି ବଡ଼ ଉପାଦାନ ନେବା ବିଷୟରେ ଯିହୋବାଙ୍କ ସାକ୍ଷୀମାନଙ୍କର ଦୃଷ୍ଟିକୋଣ କʼଣ ରହିଛି ? (ଖ) ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କୁ କେଉଁ କ୍ଷେତ୍ରଗୁଡ଼ିକରେ ନିଜେ ନିଷ୍ପତ୍ତି ନେବା ଉଚିତ୍‌ ?

୧୦ ଯିହୋବାଙ୍କ ସାକ୍ଷୀମାନେ ଏକଥାକୁ ବୁଝନ୍ତି ଯେ ‘ରକ୍ତରୁ ପୃଥକ୍‌ ରହିବା’ ବା ଦୂରେଇ ରହିବାର ଅର୍ଥ କେବଳ ଏତିକି ନୁହେଁ ଯେ ଆମେ ରକ୍ତ ଖାଇବା ନାହିଁ, ବରଂ ଏହାର ଅର୍ଥ ଆମେ ରକ୍ତ ନେବା, ରକ୍ତଦାନ କରିବା ଏବଂ ନିଜ ରକ୍ତ ଜମା କରି ଆବଶ୍ୟକ ପଡ଼ିଲେ ବ୍ୟବହାର କରିବା ଭଳି କାମ କରି ନ ଥାଉ । ଆମେ ରକ୍ତର ଚାରୋଟି ଉପାଦାନ ଅର୍ଥାତ୍‌ ଲୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା, ପ୍ଲେଟ୍‌ଲେଟ୍‌ସ ଓ ପ୍ଲାଜ୍‌ମାକୁ ମଧ୍ୟ ନେବା ଉଚିତ୍‌ ନୁହେଁ ।

୧୧ ରକ୍ତର ଏହି ଚାରୋଟି ବଡ଼ ଉପାଦାନଗୁଡ଼ିକରୁ ଛୋଟ ଛୋଟ ଉପାଦାନ ବାହାର କରାଯାଏ । ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କୁ ନିଜେ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ସେ ଏହି ଛୋଟ ଉପାଦାନକୁ ଗ୍ରହଣ କରିବେ ନା ନାହିଁ । ସେହିପରି ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କୁ ଏହା ମଧ୍ୟ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଯଦି ଚିକିତ୍ସାର କୌଣସି ପ୍ରକ୍ରିୟା, ଯାଞ୍ଚ କିମ୍ବା ଅପରେସନ ସମୟରେ ତାଙ୍କ ନିଜ ରକ୍ତ ବ୍ୟବହାର କରାଯାଏ, ତେବେ ସେ ସେହି ପ୍ରକାରର ଅପରେସନ, ଯାଞ୍ଚ, କିମ୍ବା ପ୍ରକ୍ରିୟା ଦ୍ୱାରା ଚିକିତ୍ସା କରାଇବେ ନା ନାହିଁ ।—ଅଧିକ ବିବରଣୀ-୨୧ ଦେଖନ୍ତୁ ।

୧୨. (କ) ଯେଉଁ ନିଷ୍ପତ୍ତି ଆମେ ନିଜ ବିବେକ ଅନୁସାରେ କରୁ, ତାହା ପ୍ରତି ଯିହୋବା କାହିଁକି ଧ୍ୟାନ ଦିଅନ୍ତି ? (ଖ) ଚିକିତ୍ସା ମାମଲାରେ ଆମେ ନିଷ୍ପତ୍ତି କିପରି ନେଇପାରିବା ?

୧୨ ଯେଉଁ ମାମଲାଗୁଡ଼ିକ ଆମ ବିବେକ ଉପରେ ଛଡ଼ାଯାଇଛି, ସେପରି ମାମଲାରେ ଆମେ କିପରି ନିଷ୍ପତ୍ତି ନେଉ, କʼଣ ସେହି ବିଷୟରେ ଯିହୋବା ଧ୍ୟାନ ଦିଅନ୍ତି ? ବିଲକୁଲ୍‌ । ଆମେ କିପରି ଭାବୁ ଏବଂ କେଉଁ ଉଦ୍ଦେଶ୍ୟରେ କୌଣସି ନିଷ୍ପତ୍ତି ନେଇଛୁ, ତାହା ଯିହୋବା ଧ୍ୟାନ ଦିଅନ୍ତି । (ହିତୋପଦେଶ ୧୭:୩; ୨୪:୧୨ ପଢ଼ନ୍ତୁ ।) ତେଣୁ ଚିକିତ୍ସା ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମେ ସଠିକ୍‌ ବାଟ ଦେଖାଇବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ । ତାʼପରେ ଆମେ ଚିକିତ୍ସା ବିଷୟରେ ଥିବା ଜରୁରୀ ତଥ୍ୟ ଅନୁସନ୍ଧାନ କରିବା ଉଚିତ୍‌ ଏବଂ ବାଇବଲରୁ ପ୍ରଶିକ୍ଷିତ ନିଜ ବିବେକ ଅନୁସାରେ ନିଜେ ନିଷ୍ପତ୍ତି ନେବା ଉଚିତ୍‌ । ଆମେ ଅନ୍ୟମାନଙ୍କୁ ପଚାରିବା ଉଚିତ୍‌ ନୁହେଁ ଯେ ଯଦି ସେମାନେ ଏପରି ପରିସ୍ଥିତିରେ ଥାʼନ୍ତେ, ତେବେ ସେମାନେ କʼଣ କରିଥାʼନ୍ତେ । ଏହାଛଡ଼ା ଆମେ ନିଜ ନିଷ୍ପତ୍ତିକୁ ମାନିବା ପାଇଁ ଅନ୍ୟମାନଙ୍କୁ ବାଧ୍ୟ କରିବା ନାହିଁ । ସମସ୍ତ ଖ୍ରୀଷ୍ଟିୟାନଙ୍କୁ ନିଜେ “ଆପଣା ଭାର ବହନ” କରିବା ଉଚିତ୍‌ ।—ଗାଲାତୀୟ ୬:୫; ରୋମୀୟ ୧୪:୧୨.

ଯିହୋବାଙ୍କ ନିୟମରୁ ତାହାଙ୍କ ପ୍ରେମ ଜଣାପଡ଼େ

୧୩. ରକ୍ତ ମାମଲାରେ ଯିହୋବାଙ୍କ ନିୟମ ଓ ସିଦ୍ଧାନ୍ତଗୁଡ଼ିକରୁ ଆମେ ତାହାଙ୍କ ବିଷୟରେ କʼଣ ଶିଖୁ ?

୧୩ ଯିହୋବା ଆମକୁ ଯାହା ବି କରିବା ପାଇଁ କହନ୍ତି, ତାହା ଆମ ଲାଭ ପାଇଁ ହୋଇଥାଏ । ସେ ଆମକୁ ବହୁତ ପ୍ରେମ କରନ୍ତି । (ଗୀତସଂହିତା ୧୯:୭-୧୧) କିନ୍ତୁ ଆମେ ତାହାଙ୍କ ଆଜ୍ଞା କେବଳ ଲାଭଦାୟକ ବୋଲି ପାଳନ କରି ନ ଥାଉ, ବରଂ ଆମେ ତାହାଙ୍କୁ ପ୍ରେମ କରୁ, ତେଣୁ ଆମେ ତାହାଙ୍କ ଆଜ୍ଞା ପାଳନ କରିଥାଉ । ଏହି କାରଣରୁ ଆମେ ରକ୍ତ ମଧ୍ୟ ନେଇ ନ ଥାଉ । (ପ୍ରେରିତ ୧୫:୨୦) କିନ୍ତୁ ରକ୍ତ ନ ନେବା ଯୋଗୁଁ ଆମର କିଛି ଲାଭ ମଧ୍ୟ ହୋଇଥାଏ । ଆମକୁ ଏପରି ରୋଗଗୁଡ଼ିକ ହୋଇ ନ ଥାଏ, ଯାହା ରକ୍ତ ନେବା ଯୋଗୁଁ ହୁଏ । ଏକଥା ଆଜି ଅନେକ ଲୋକ ଜାଣନ୍ତି ଏବଂ ଅନେକ ଡାକ୍ତରମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ରୋଗୀ ପାଇଁ ବିନା ରକ୍ତରେ ଅପରେସନ କରିବା ହିଁ ଭଲ । ଏଥିରୁ ଜଣାପଡ଼େ ଯେ ଯିହୋବାଙ୍କ ନିୟମ ହିଁ ସବୁଠୁ ଉତ୍ତମ ।—ଯିଶାଇୟ ୫୫:୯ ପଢ଼ନ୍ତୁ; ଯୋହନ ୧୪:୨୧, ୨୩.

୧୪, ୧୫. (କ) ଯିହୋବା ନିଜ ଲୋକମାନଙ୍କ ସୁରକ୍ଷା ପାଇଁ କʼଣ ନିୟମ ଦେଇଥିଲେ ? (ଖ) ଯେଉଁ ସିଦ୍ଧାନ୍ତଗୁଡ଼ିକ ଉପରେ ଏହି ନିୟମ ଆଧାରିତ, ସେଗୁଡ଼ିକୁ ଆମେ କିପରି ଲାଗୁ କରିପାରିବା ?

୧୪ ଯିହୋବାଙ୍କ ନିୟମକୁ ପାଳନ କରିବା ଦ୍ୱାରା ସର୍ବଦା ତାହାଙ୍କ ଲୋକମାନଙ୍କର ଲାଭ ହୋଇଛି । ଯିହୋବା ପ୍ରାଚୀନ ଇସ୍ରାଏଲର ଲୋକମାନଙ୍କୁ କିଛି ନିୟମ ଦେଇଥିଲେ, ଯାହା ପାଳନ କରିବା ଦ୍ୱାରା ସେମାନେ ବଡ଼ ବଡ଼ ଦୁର୍ଘଟଣାରୁ ରକ୍ଷା ପାଉଥିଲେ । ଉଦାହରଣସ୍ୱରୂପ, ଗୋଟିଏ ନିୟମରେ ସେମାନଙ୍କୁ ନିଜ ଘରର ଛାତରେ ଛେଦାବାଡ଼ ତିଆରି କରିବା ପାଇଁ କୁହାଯାଇଥିଲା, ଯାହାଫଳରେ କେହି ଛାତରୁ ନ ପଡ଼ନ୍ତୁ । (ଦ୍ୱିତୀୟ ବିବରଣ ୨୨:୮) ଆଉ ଏକ ନିୟମ ପଶୁମାନଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା । ଯଦି କୌଣସି ବ୍ୟକ୍ତିର ଗୋରୁ ଅନ୍ୟମାନଙ୍କୁ ବିନ୍ଧୁଥାଏ ବା ଶିଙ୍ଗ ମାରୁଥାଏ, ତେବେ ସେହି ବ୍ୟକ୍ତିକୁ ତାʼର ଗୋରୁକୁ ବାନ୍ଧି ରଖିବାର ଥିଲା, ଯାହାଦ୍ୱାରା ସେ କାହାରିକୁ ଆଘାତ କରନ୍ତା ନାହିଁ କିମ୍ବା ଜୀବନରୁ ମାରନ୍ତା ନାହିଁ । (ଯାତ୍ରା ପୁସ୍ତକ ୨୧:୨୮, ୨୯) ଯଦି ଜଣେ ଇସ୍ରାଏଲୀୟ ବ୍ୟକ୍ତି ଏହି ନିୟମଗୁଡ଼ିକୁ ପାଳନ ନ କରନ୍ତା ଏବଂ ତାʼ ଭୁଲ ଯୋଗୁଁ କାହାରି ମୃତ୍ୟୁ ହୋଇଯାʼନ୍ତା, ତେବେ ସେ ଦୋଷୀ ବୋଲି ସାବ୍ୟସ୍ତ ହୁଅନ୍ତା ।

୧୫ ଏହି ନିୟମଗୁଡ଼ିକରୁ ସ୍ପଷ୍ଟ ଜଣାପଡ଼େ ଯେ ଯିହୋବାଙ୍କ ଦୃଷ୍ଟିରେ ଜୀବନ ବହୁମୂଲ୍ୟ ଅଟେ । ଆମେ ମଧ୍ୟ ଜୀବନ ପ୍ରତି ଏପରି ଦୃଷ୍ଟିକୋଣ ରଖିବା ଉଚିତ୍‌ ଏବଂ ଜୀବନକୁ ଆଦର କରିବା ଉଚିତ୍‌ । ଆମେ ନିଜ ଘର ଏବଂ ନିଜ ଗାଡ଼ିକୁ ଯେପରି ଭାବେ ରଖୁ, ଯେପରି ଗାଡ଼ି ଚଳାଉ ଏବଂ ମନୋରଞ୍ଜନ କରୁ, ସେଥିରୁ ମଧ୍ୟ ଜଣାପଡ଼େ ଯେ ଆମେ ଜୀବନକୁ ଆଦର କରୁ ନା ନାହିଁ । କିଛି ଲୋକ ଏହି ମାମଲାରେ କୌଣସି ସାବଧାନତା ଅବଲମ୍ବନ କରନ୍ତି ନାହିଁ । କାରଣ ସେମାନେ ଭାବନ୍ତି ଯେ ସେମାନଙ୍କୁ କିଛି ହେବ ନାହିଁ । ଏପରି ସ୍ୱଭାବ ବିଶେଷ କରି ଯୁବାମାନଙ୍କଠାରେ ଦେଖିବାକୁ ମିଳେ । ସେମାନେ ନିଜ ଜୀବନକୁ ଖାତିର ନ କରି ନିଜକୁ ବିପଦରେ ପକାନ୍ତି । ଯିହୋବା ଚାହାନ୍ତି ନାହିଁ ଯେ ଆମେ ମଧ୍ୟ ଏପରି କରୁ । ସେ ଚାହାନ୍ତି ଯେ ଆମେ ନିଜ ଓ ଅନ୍ୟମାନଙ୍କ ଜୀବନକୁ ଆଦର କରୁ ।—ଉପଦେଶକ ୧୧:୯, ୧୦.

୧୬. ଗର୍ଭପାତ ବିଷୟରେ ଯିହୋବାଙ୍କ କʼଣ ଦୃଷ୍ଟିକୋଣ ରହିଛି ?

୧୬ ଯିହୋବାଙ୍କ ପାଇଁ ପ୍ରତ୍ୟେକଙ୍କ ଜୀବନ ବହୁମୂଲ୍ୟ ଅଟେ । ଏପରିକି ଗର୍ଭରେ ଥିବା ଶିଶୁର ଜୀବନ ମଧ୍ୟ । ମୋଶାଙ୍କ ନିୟମରେ କୁହାଯାଇଥିଲା ଯେ ଯଦି କୌଣସି ଲୋକ ଜଣେ ଗର୍ଭବତୀ ସ୍ତ୍ରୀକୁ ଆଘାତ କରେ ଏବଂ ସେହି ସ୍ତ୍ରୀ କିମ୍ବା ତାʼର ଶିଶୁର ମୃତ୍ୟୁ ହୋଇଯାଏ, ତେବେ ଯିହୋବା ସେହି ଲୋକକୁ ହତ୍ୟାକାରୀ ବୋଲି ମନେ କରୁଥିଲେ । ଯଦିଓ ସେ ଜାଣିଶୁଣି ଏହା କରି ନ ଥିବ, ତଥାପି ତାʼର ଭୁଲ ଯୋଗୁଁ ଜଣକର ଜୀବନ ଚାଲିଗଲା, ସେଥିପାଇଁ ତାକୁ ବଦଳରେ ମୃତ୍ୟୁଦଣ୍ଡ ମିଳୁଥିଲା । (ଯାତ୍ରା ପୁସ୍ତକ ୨୧:୨୨, ୨୩ ପଢ଼ନ୍ତୁ ।) ଯିହୋବାଙ୍କ ଦୃଷ୍ଟିରେ ଜନ୍ମ ହୋଇ ନ ଥିବା ଶିଶୁ ମଧ୍ୟ ଜୀବିତ ବ୍ୟକ୍ତି ଅଟେ, ତାହେଲେ ଗର୍ଭପାତ ବିଷୟରେ କʼଣ କୁହାଯାଇପାରିବ ? ଯେତେବେଳେ ଯିହୋବା ଦେଖନ୍ତି ଯେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଶିଶୁଙ୍କୁ ଗର୍ଭରେ ହିଁ ମାରି ଦିଆଯାଏ, ତେବେ ତାହାଙ୍କୁ କିପରି ଲାଗୁଥିବ ?

୧୭. ଯଦି ଜଣେ ସ୍ତ୍ରୀ ଯିହୋବାଙ୍କୁ ଜାଣିବା ପୂର୍ବରୁ ଗର୍ଭପାତ କରିଥାଏ, ତେବେ ତାକୁ କେଉଁ କଥାରୁ ସାନ୍ତ୍ୱନା ମିଳିପାରିବ ?

୧୭ ଯଦି ଜଣେ ସ୍ତ୍ରୀ ଯିହୋବାଙ୍କୁ ଜାଣିବା ପୂର୍ବରୁ ଗର୍ଭପାତ କରିଥାଏ, ତେବେ କʼଣ ତାକୁ କ୍ଷମା ମିଳିବ ? ନିଶ୍ଚୟ । ସେ ଏହା ଭରସା ରଖିପାରିବ ଯେ ଯୀଶୁଙ୍କ ବଳିଦାନ ଆଧାରରେ ଯିହୋବା ତାକୁ କ୍ଷମା କରିଦେବେ । (ଲୂକ ୫:୩୨; ଏଫିସୀୟ ୧:୭) ଯଦି ତାକୁ ନିଜ ଭୁଲର ଅବଶୋଷ ଥାଏ, ତେବେ ସେ ନିଜକୁ ଦୋଷୀ ଅନୁଭବ କରିବାର ଆବଶ୍ୟକତା ନାହିଁ । “ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ . . . ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି ।”—ଗୀତସଂହିତା ୧୦୩:୮-୧୪.

ମନରୁ ଘୃଣାଭାବକୁ ଦୂର କରନ୍ତୁ

୧୮. ଆମେ ନିଜ ମନରୁ ଘୃଣାଭାବ କାହିଁକି ଦୂର କରିବା ଉଚିତ୍‌ ?

୧୮ ଆମେ ହୃଦୟରୁ ବିଶ୍ୱାସ କରିବା ଉଚିତ୍‌ ଯେ ଜୀବନ ଈଶ୍ୱରଙ୍କ ତରଫରୁ ଏକ ଉପହାର ଅଟେ । ଏଥିରେ ଏହା ମଧ୍ୟ ସାମିଲ୍‌ ଯେ ଆମେ ହୃଦୟରେ ଅନ୍ୟମାନଙ୍କ ପାଇଁ କିପରି ଅନୁଭବ କରୁ । ଯଦି ଆମେ ଜଣେ ବ୍ୟକ୍ତିଙ୍କୁ ପସନ୍ଦ କରୁ ନାହୁଁ, ତେବେ ହୁଏତ ଆଗକୁ ଯାଇ ଆମେ ତାଙ୍କୁ ଘୃଣା କରିପାରିବା । ପ୍ରେରିତ ଯୋହନ ଲେଖିଥିଲେ, “ଯେକେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ ।” (୧ ଯୋହନ ୩:୧୫) ଯେତେବେଳେ କେହି କାହାରିକୁ ଘୃଣା କରେ, ସେତେବେଳେ ହୁଏତ ସେ ତାଙ୍କ ଆଦର କରିବ ନାହିଁ, ତାଙ୍କ ଉପରେ ମିଥ୍ୟା ଦୋଷାରୋପ କରିବ, ଏପରିକି ସେ ଚାହିଁବ ଯେ ସେ ମରିଯାଉ । ଯିହୋବା ଜାଣନ୍ତି ଯେ ଆମେ ଅନ୍ୟମାନଙ୍କ ପାଇଁ କିପରି ଅନୁଭବ କରୁ । (ଲେବୀ ପୁସ୍ତକ ୧୯:୧୬; ଦ୍ୱିତୀୟ ବିବରଣ ୧୯:୧୮-୨୧; ମାଥିଉ ୫:୨୨) ଯଦି ଆମେ କାହାରିକୁ ମନେ ମନେ ଘୃଣା କରିଥାଉ, ତେବେ ଏପରି ଚିନ୍ତାଧାରାକୁ ନିଜ ମନରୁ ବାହାର କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ ।—ଯାକୁବ ୧:୧୪, ୧୫; ୪:୧-୩.

୧୯. ଆମେ ଆଉ କେଉଁ ଉପାୟରେ ଦେଖାଇପାରିବା ଯେ ଆମେ ଜୀବନକୁ ବହୁମୂଲ୍ୟ ମନେ କରୁ ?

୧୯ ଆମେ ଆଉ ଏକ ଉପାୟରେ ଦେଖାଇପାରିବା ଯେ ଆମେ ଜୀବନକୁ ବହୁମୂଲ୍ୟ ମନେ କରୁ । ଗୀତସଂହିତା ୧୧:୫ ପଦରେ କୁହାଯାଇଛି ଯେ ଯିହୋବା ‘ଦୌରାତ୍ମ୍ୟପ୍ରିୟ ଲୋକକୁ ଘୃଣା କରନ୍ତି ।’ ଯଦି ଆମେ ଏପରି ଫିଲ୍ମ କିମ୍ବା ଟିଭି କାର୍ଯ୍ୟକ୍ରମ ଦେଖୁ, ଯେଉଁଥିରେ ମାରପିଟ୍‌ ଭରି ରହିଥାଏ, ତେବେ ଏଥିରୁ ଜଣାପଡ଼ିବ ଯେ ଆମେ ହିଂସାକୁ ବହୁତ ପସନ୍ଦ କରୁ । ଏପରି ମନୋରଞ୍ଜନ ଦେଖିଲେ ଆମେ ନିଜ ମନରେ ଗାଳିଗୁଲଜ, ଷଡ଼ଯନ୍ତ୍ର ଏବଂ ଲୋମ ଟାଙ୍କୁରି ଉଠୁଥିବା ଦୃଶ୍ୟ ଭରୁଥିବା । ଏହା ପରିବର୍ତ୍ତେ ଭଲ ହେବ ଯେ ଆମେ ନିଜ ମନରେ ଶୁଦ୍ଧ ଏବଂ ଭଲ ବିଚାରଗୁଡ଼ିକ ଭରିବା ।—ଫିଲିପ୍ପୀୟ ୪:୮, ୯ ପଢ଼ନ୍ତୁ ।

ଏପରି ସଂଗଠନଗୁଡ଼ିକର ସଦସ୍ୟ ହୁଅନ୍ତୁ ନାହିଁ, ଯେଉଁମାନେ ଜୀବନକୁ ଆଦର କରନ୍ତି ନାହିଁ

୨୦-୨୨. (କ) ଶୟତାନର ଜଗତ ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ କିପରି ? (ଖ) ଈଶ୍ୱରଙ୍କ ଲୋକମାନେ ଜଗତରୁ ଅଲଗା କିପରି ରହନ୍ତି ?

୨୦ ଶୟତାନର ଜଗତରେ ଜୀବନର କୌଣସି ମୂଲ୍ୟ ନାହିଁ । ଏହି ଜଗତ ଯିହୋବାଙ୍କ ଦୃଷ୍ଟିରେ ରକ୍ତର ଦୋଷୀ ଅଟେ । ବହୁ ବର୍ଷରୁ ଅନେକ ରାଜନୈତିକ ଶକ୍ତିଗୁଡ଼ିକ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି । ଏହା ଯିହୋବାଙ୍କ କିଛି ସେବକମାନଙ୍କ ଜୀବନ ମଧ୍ୟ ନେଇଛି । ବାଇବଲରେ ଏହି ଶକ୍ତିଗୁଡ଼ିକୁ କିମ୍ବା ସରକାରଗୁଡ଼ିକୁ ଭୟଙ୍କର ପଶୁ ବୋଲି କୁହାଯାଇଛି । (ଦାନିୟେଲ ୮:୩, ୪, ୨୦-୨୨; ପ୍ରକାଶିତ ବାକ୍ୟ ୧୩:୧, ୨, ୭, ୮) ଆଜି ବହୁଳ ଭାବରେ ହତିଆର କିଣାବିକା କରାଯାଉଛି ଏବଂ ଏହା ଏକ ବଡ଼ ବ୍ୟାପାର ହୋଇଯାଇଛି । ଏହି ଘାତକ ହତିଆର ବ୍ୟାପାରଗୁଡ଼ିକରୁ ଲୋକମାନେ ବହୁତ ଟଙ୍କାପଇସା ଠୁଳ କରିଛନ୍ତି । ଏସବୁରୁ ସ୍ପଷ୍ଟ ଦେଖାଯାଉଛି ଯେ ‘ସମସ୍ତ ଜଗତ ପାପାତ୍ମାର [ଶୟତାନର] ଅଧୀନ ।’—୧ ଯୋହନ ୫:୧୯.

୨୧ କିନ୍ତୁ ଯିହୋବାଙ୍କ ଲୋକମାନେ ଏହି “ଜଗତରୁ ଉତ୍ପନ୍ନ ହୋଇ” ନାହାନ୍ତି । ସେମାନେ ରାଜନୀତି ଓ ଯୁଦ୍ଧରେ ପୂରାପୂରି ନିଷ୍ପକ୍ଷ ରହନ୍ତି । ସେମାନେ କାହାରି ଜୀବନ ନିଅନ୍ତି ନାହିଁ ଏବଂ ଏପରି ସଂଗଠନଗୁଡ଼ିକୁ ସମର୍ଥନ ମଧ୍ୟ କରନ୍ତି ନାହିଁ, ଯେଉଁମାନେ ଲୋକମାନଙ୍କ ହତ୍ୟା କରନ୍ତି । (ଯୋହନ ୧୫:୧୯; ୧୭:୧୬) ଯେତେବେଳେ ଖ୍ରୀଷ୍ଟିୟାନମାନଙ୍କ ଉପରେ ଅତ୍ୟାଚାର ହୁଏ, ସେତେବେଳେ ସେମାନେ ବଦଳରେ ହିଂସା କରନ୍ତି ନାହିଁ । ସେମାନେ ଯୀଶୁଙ୍କ ଏହି କଥାକୁ ପାଳନ କରନ୍ତି ଯେ ଆମେ ନିଜ ଶତ୍ରୁମାନଙ୍କୁ ମଧ୍ୟ ପ୍ରେମ କରିବା ଉଚିତ୍‌ ।—ମାଥିଉ ୫:୪୪; ରୋମୀୟ ୧୨:୧୭-୨୧.

୨୨ ଧର୍ମ ମଧ୍ୟ ଲକ୍ଷ ଲକ୍ଷ ଲୋକମାନଙ୍କ ମୃତ୍ୟୁର କାରଣ ଅଟେ । ମହାନଗରୀ ବାବିଲ ଅର୍ଥାତ୍‌ ସମଗ୍ର ଜଗତରେ ସାମ୍ରାଜ୍ୟ ରୂପେ ବ୍ୟାପିଥିବା ମିଥ୍ୟା ଧର୍ମ ବିଷୟରେ ବାଇବଲ କହେ, “ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା ।” ଏହି କାରଣରୁ ଯିହୋବା ଆମକୁ ଆଜ୍ଞା ଦିଅନ୍ତି ଯେ “ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ . . . ତାହାଠାରୁ ବାହାରି ଆସ ।” ଯେଉଁମାନେ ଯିହୋବାଙ୍କ ଉପାସନା କରନ୍ତି, ସେମାନେ ମିଥ୍ୟା ଧର୍ମ ସହିତ କୌଣସି ସମ୍ପର୍କ ରଖନ୍ତି ନାହିଁ ।—ପ୍ରକାଶିତ ବାକ୍ୟ ୧୭:୬; ୧୮:୨, ୪, ୨୪.

୨୩. ମିଥ୍ୟା ଧର୍ମରୁ ସମ୍ପର୍କ ଭାଙ୍ଗିବା ପାଇଁ ଆମକୁ କʼଣ କʼଣ କରିବାକୁ ହେବ ?

୨୩ ଯଦି ଆମେ ମହାନଗରୀ ବାବିଲରୁ ‘ବାହାରି ଆସିଛୁ,’ ତେବେ ଏହା ସ୍ପଷ୍ଟ ଭାବେ ଜଣାପଡ଼ିବା ଉଚିତ୍‌ ଯେ ଆମେ ମିଥ୍ୟା ଧର୍ମରୁ ସମ୍ପର୍କ ଭାଙ୍ଗି ଦେଇଛୁ । ଯଦି ଆମେ କୌଣସି ମିଥ୍ୟା ଧର୍ମର ସଦସ୍ୟ ଅଟୁ, ତେବେ ଆମେ ସେଠାରୁ ନିଜ ନାମ କଟାଇବା ଉଚିତ୍‌ । କିନ୍ତୁ କେବଳ ଏତିକି କରିବା ଯଥେଷ୍ଟ ନୁହେଁ । ଆମେ ଏପରି ଖରାପ କାମ ମଧ୍ୟ କରିବା ଉଚିତ୍‌ ନୁହେଁ, ଯାହା ମିଥ୍ୟା ଧର୍ମରେ କରାଯାଏ । ଏପରିକି ଆମେ ସେହି କାମଗୁଡ଼ିକୁ ଘୃଣା କରିବା ଉଚିତ୍‌ । ମିଥ୍ୟା ଧର୍ମଗୁଡ଼ିକରେ ଅନୈତିକ କାମଗୁଡ଼ିକୁ କରିବା ପାଇଁ ମନା କରାଯାଏ ନାହିଁ, ରାଜନୈତିକ ମାମଲାଗୁଡ଼ିକରେ ଭାଗ ନିଆଯାଏ ଏବଂ ଧନସମ୍ପତ୍ତି ପଛରେ ଗୋଡ଼ାଇବା ପାଇଁ ପ୍ରୋତ୍ସାହନ ଦିଆଯାଏ । (ଗୀତସଂହିତା ୯୭:୧୦ ପଢ଼ନ୍ତୁ; ପ୍ରକାଶିତ ବାକ୍ୟ ୧୮:୭, ୯, ୧୧-୧୭) ବହୁ ବର୍ଷରୁ ଲକ୍ଷ ଲକ୍ଷ ଲୋକମାନେ ଏପରି କାମଗୁଡ଼ିକ କରି ନିଜ ଜୀବନ ହରାଇଛନ୍ତି ।

୨୪, ୨୫. ଯିହୋବାଙ୍କ ବିଷୟରେ ଜାଣିଲେ ଆମେ ମନର ଶାନ୍ତି ଏବଂ ଶୁଦ୍ଧ ବିବେକ କିପରି ପାଇପାରିବା ?

୨୪ ଯିହୋବାଙ୍କୁ ଜାଣିବା ପୂର୍ବରୁ ଆମେ ସମସ୍ତେ ଏହି ଜଗତର ଭାଗ ଥିଲୁ ଏବଂ ଆମେ କୌଣସି ନା କୌଣସି ଭାବେ ଏପରି କାମଗୁଡ଼ିକରେ ସହଯୋଗ କରୁଥିଲୁ । କିନ୍ତୁ ଏବେ ଆମେ ଜଗତରୁ ସମ୍ପର୍କ ଭାଙ୍ଗି ଦେଇଛୁ । ଆମେ ଯୀଶୁଙ୍କ ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କଲୁ ଏବଂ ନିଜ ଜୀବନକୁ ଈଶ୍ୱରଙ୍କୁ ସମର୍ପିତ କଲୁ । ଆଜି ଆମେ ଈଶ୍ୱରଙ୍କ ହୃଦୟକୁ ଖୁସି କରୁଛୁ, ତେଣୁ ଆମକୁ ମନର ଶାନ୍ତି ଓ ଶୁଦ୍ଧ ବିବେକ ମିଳିଛି । ଯେପରି ବାଇବଲରେ କୁହାଯାଇଛି ଯେ ଆମେ ‘ପ୍ରଭୁଙ୍କ ଛାମୁରୁ ସାନ୍ତ୍ୱନାର ସମୟର’ ଆନନ୍ଦ ନେଉଛୁ ।—ପ୍ରେରିତ ୩:୧୯, ୨୦; ଯିଶାଇୟ ୧:୧୮.

୨୫ ହୁଏତ ଆମେ ପ୍ରଥମେ ଏପରି ସଂଗଠନର ଭାଗ ଥିଲୁ, ଯେଉଁଠାରେ ଜୀବନକୁ ଆଦର କରାଯାଏ ନାହିଁ । ତେଣୁ ଆମେ ମଧ୍ୟ ଦୋଷୀ ଥିଲୁ । କିନ୍ତୁ ଯୀଶୁଙ୍କ ମୁକ୍ତିର ମୂଲ୍ୟର ଆଧାରରେ ଯିହୋବା ଆମକୁ କ୍ଷମା କରନ୍ତି । ଆମେ ଜୀବନକୁ ଯିହୋବାଙ୍କ ତରଫରୁ ମିଳିଥିବା ଏକ ବହୁମୂଲ୍ୟ ଉପହାର ବୋଲି ମନେ କରୁ । ଏହି କାରଣରୁ ଆମେ ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ପାଇଁ ପରିଶ୍ରମ କରୁ, ଶୟତାନର ଜଗତରୁ ମୁକ୍ତ ହେବା ପାଇଁ ଏବଂ ଯିହୋବାଙ୍କ ଭଲ ମିତ୍ର ହେବା ପାଇଁ ସେମାନଙ୍କୁ ସାହାଯ୍ୟ କରୁ ।—୨ କରିନ୍ଥୀୟ ୬:୧, ୨.

ରାଜ୍ୟର ସୁସମାଚାର ପ୍ରଚାର କରନ୍ତୁ

୨୬-୨୮. (କ) ଯିହୋବା ଯିହିଜିକଲଙ୍କୁ କʼଣ କାମ ଦେଇଥିଲେ ? (ଖ) ଆଜି ଯିହୋବା ଆମକୁ କʼଣ କାମ ଦେଇଛନ୍ତି ?

୨୬ ପ୍ରାଚୀନ କାଳରେ, ଯିହୋବା ନିଜ ଭବିଷ୍ୟଦ୍‌ବକ୍ତା ଯିହିଜିକଲଙ୍କୁ ଗୋଟିଏ କାମ ଦେଲେ । ତାଙ୍କୁ ଇସ୍ରାଏଲୀୟମାନଙ୍କୁ ଜଣାଇବାର ଥିଲା ଯେ ଯିରୂଶାଲମର ବହୁତ ଶୀଘ୍ର ବିନାଶ ହୋଇଯିବ । ତାଙ୍କୁ ଏହା ମଧ୍ୟ ଜଣାଇବାର ଥିଲା ଯେ ସେମାନଙ୍କୁ ଏହି ବିନାଶରୁ ରକ୍ଷା ପାଇବା ପାଇଁ କʼଣ କରିବାକୁ ପଡ଼ିବ । ଯଦି ସେ ସେମାନଙ୍କୁ ଏହି ସମାଚାର ଶୁଣାଇ ନ ଥାʼନ୍ତେ ଏବଂ ସେମାନେ ମରିଯାʼନ୍ତେ, ତେବେ ଯିହୋବା ଯିହିଜିକଲଙ୍କୁ ସେମାନଙ୍କ ମୃତ୍ୟୁର ଦୋଷୀ ସାବ୍ୟସ୍ତ କରନ୍ତେ । (ଯିହିଜିକଲ ୩୩:୭-୯) ଯିହିଜିକଲ ଜୀବନକୁ ଆଦର କରୁଥିଲେ, ତେଣୁ ସେ ଲୋକମାନଙ୍କୁ ଏହି ସମାଚାର ଶୁଣାଇବା ପାଇଁ ବହୁତ ପରିଶ୍ରମ କଲେ ।

୨୭ ଆଜି ଯିହୋବା ଆମକୁ ମଧ୍ୟ ଗୋଟିଏ କାମ ଦେଇଛନ୍ତି । ଆଉ ତାହା ହେଲା, ଲୋକମାନଙ୍କୁ ଜଣାଇବା ଯେ ଶୟତାନର ଜଗତ ଖୁବ୍‌ ଶୀଘ୍ର ବିନାଶ ହୋଇଯିବ ଏବଂ ସେମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା, ଯାହାଦ୍ୱାରା ସେମାନେ ବିନାଶ ହେବେ ନାହିଁ ଏବଂ ନୂତନ ଜଗତରେ ଜୀଇଁପାରିବେ । (ଯିଶାଇୟ ୬୧:୨; ମାଥିଉ ୨୪:୧୪) ଆମେ ଲୋକମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌, ଯାହାଦ୍ୱାରା ଆମେ ପାଉଲଙ୍କ ପରି କହିପାରିବା, ‘ମୁଁ ସମସ୍ତଙ୍କ ରକ୍ତର ଦାୟିତ୍ୱରୁ ମୁକ୍ତ । ମୁଁ ଈଶ୍ୱରଙ୍କର ସମସ୍ତ ସଙ୍କଳ୍ପ ତୁମ୍ଭମାନଙ୍କୁ ଜଣାଇବାକୁ ସଙ୍କୁଚିତ ହୋଇ ନ ଥିଲି ।’—ପ୍ରେରିତ ୨୦:୨୬, ୨୭.

୨୮ ଯିହୋବାଙ୍କ ପ୍ରେମରେ ସ୍ଥିର ହୋଇ ରହିବା ପାଇଁ କେବଳ ଜୀବନ ଓ ରକ୍ତକୁ ପବିତ୍ର ବୋଲି ମନେ କରିବା ଯଥେଷ୍ଟ ନୁହେଁ, ବରଂ ଯିହୋବାଙ୍କ ଦୃଷ୍ଟିରେ ଶୁଦ୍ଧ ରହିବା ମଧ୍ୟ ଜରୁରୀ । ଏହି ବିଷୟରେ ଆମେ ପରବର୍ତ୍ତୀ ଅଧ୍ୟାୟରେ ଶିଖିବା ।