इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଈଶ୍ୱରଙ୍କ ରାଜ୍ୟର ରାଜା କିଏ ଅଟନ୍ତି ?

ଈଶ୍ୱରଙ୍କ ରାଜ୍ୟର ରାଜା କିଏ ଅଟନ୍ତି ?

ଆମେ କିପରି ଚିହ୍ନିପାରିବା ଯେ ଯିହୋବା କାହାକୁ ନିଜ ରାଜ୍ୟର ରାଜା ବାଛିଛନ୍ତି ? ସେ ବାଇବଲର ଅଲଗା ଅଲଗା ଲେଖକଙ୍କ ଜରିଆରେ ସେହି ରାଜା ବିଷୟରେ ଲେଖାଇଛନ୍ତି । ଯେପରି:

  • ସେହି ରାଜାଙ୍କୁ ଈଶ୍ୱର ନିଜେ ବାଛନ୍ତେ । ‘ମୁଁ ଆପଣା ରାଜାଙ୍କୁ ରାଜଗାଦିରେ ସ୍ଥାପନ କରିଅଛି । . . . ଆମ୍ଭେ ତୁମ୍ଭର ଉତ୍ତାରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା ।’—ଗୀତସଂହିତା ୨:୬, ୮.

  • ସେ ଇସ୍ରାଏଲର ରାଜା ଦାଉଦଙ୍କ ଉତ୍ତରାଧିକାରୀ ହେବେ । ‘ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି . . . ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହେବେ ।’—ଯିଶାଇୟ ୯:୬, ୭.

  • ସେ ବେଥଲିହିମରେ ଜନ୍ମ ନେବେ । ‘ହେ ବେଥଲିହିମ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ । ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମହାନ ହେବେ ।’—ମୀଖା ୫:୨, ୪.

  • ଲୋକମାନେ ତାଙ୍କୁ ସ୍ୱୀକାର କରନ୍ତେ ନାହିଁ ଓ ଜୀବନରୁ ମାରିଦିଅନ୍ତେ । ‘ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ । ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ ।’—ଯିଶାଇୟ ୫୩:୩, ୫.

  • ତାଙ୍କୁ ଜୀବିତ କରାଯାନ୍ତା ଓ ଉଚ୍ଚ ପଦବୀ ଦିଆଯାନ୍ତା । ‘ତୁମ୍ଭେ ମୋʼ ପ୍ରାଣକୁ କବରରେ ପରିତ୍ୟାଗ କରିବ ନାହିଁ; କିଅବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ । . . . ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ ।’—ଗୀତସଂହିତା ୧୬:୧୦, ୧୧.

କେବଳ ଯୀଶୁ ହିଁ ସବୁଠୁ ବଢ଼ିଆ ରାଜା ଅଟନ୍ତି

ମଣିଷମାନଙ୍କ ଇତିହାସ ଦେଖିଲେ ଜଣାପଡ଼େ ଯେ ଏହିସବୁ କଥା କେବଳ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ପୂରା ହୋଇଛି । ଦେଖିବାକୁ ଗଲେ ଜଣେ ସ୍ୱର୍ଗଦୂତ ଯୀଶୁଙ୍କ ବିଷୟରେ ତାଙ୍କ ମାଆ ମରୀୟମଙ୍କୁ କହିଥିଲେ, “ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ, . . . ପୁଣି ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ ।”—ଲୂକ ୧:୩୧-୩୩.

ଯୀଶୁ ପୃଥିବୀରେ ଥିବା ସମୟରେ ଈଶ୍ୱରଙ୍କ ରାଜ୍ୟର ରାଜା ହୋଇ ନ ଥିଲେ । ତାʼ ପରିବର୍ତ୍ତେ ସେ ସ୍ୱର୍ଗରେ ରାଜା ହୁଅନ୍ତେ ଓ ସେ ସେଠାରୁ ହିଁ ମଣିଷମାନଙ୍କ ଉପରେ ଶାସନ କରନ୍ତେ । ଏହା କାହିଁକି କୁହାଯାଇପାରିବ ଯେ ଯୀଶୁ ସବୁଠୁ ବଢ଼ିଆ ରାଜା ହୁଅନ୍ତେ ? ଧ୍ୟାନ ଦିଅନ୍ତୁ ଯେ ପୃଥିବୀରେ ଥିବା ସମୟରେ ସେ କʼଣ କʼଣ କଲେ ।

  • ଯୀଶୁ ଲୋକମାନଙ୍କର ଚିନ୍ତା କରୁଥିଲେ । ସେ ପୁରୁଷ-ସ୍ତ୍ରୀ, ବୟସ୍କ-ଯୁବା, ଧନୀ-ଗରିବ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ । (ମାଥିଉ ୯:୩୬; ମାର୍କ ୧୦:୧୬) ଥରେ ଜଣେ କୁଷ୍ଠ ରୋଗୀ ତାହାଙ୍କ ନିକଟକୁ ଆସି ତାହାଙ୍କୁ ବିନତି କରି କହିଲା, “ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି ।” ତାକୁ ଦେଖି ଯୀଶୁ ଦୟାରେ ବିଗଳିତ ହେଲେ ଓ ସେ ତାକୁ ଠିକ୍‌ କଲେ ।—ମାର୍କ ୧:୪୦-୪୨.

  • ଯୀଶୁ ଶିଖାଇଲେ ଯେ ଈଶ୍ୱରଙ୍କୁ କିପରି ଖୁସି କରିବା । ସେ କହିଲେ,“ତୁମ୍ଭେମାନେ ଈଶ୍ୱର ଓ ଧନ, ଉଭୟର ଦାସ ହୋଇ ପାର ନାହିଁ ।” ସେ ଲୋକମାନଙ୍କୁ ଏହା ବି ପରାମର୍ଶ ଦେଲେ ଯେ ସେମାନେ ଅନ୍ୟମାନଙ୍କ ସହିତ ସେପରି ବ୍ୟବହାର କରନ୍ତୁ, ଯେପରି ସେମାନେ ଚାହାନ୍ତି ଯେ ଅନ୍ୟମାନେ ସେମାନଙ୍କ ସହ କରନ୍ତୁ । ତାʼଛଡ଼ା ଯୀଶୁ କହିଲେ ଯେ ଈଶ୍ୱର କେବଳ ଆମ କାମଗୁଡ଼ିକୁ ନୁହେଁ, ବରଂ ଆମ ଚିନ୍ତାଧାରା ଓ ଆମ ଭାବନାକୁ ମଧ୍ୟ ଧ୍ୟାନ ଦିଅନ୍ତି । ତେଣୁ ଯଦି ଆମେ ଈଶ୍ୱରଙ୍କୁ ଖୁସି କରିବା ପାଇଁ ଚାହୁଁ, ତେବେ ଆମକୁ ନିଜ ଭାବନାକୁ କାବୁରେ ରଖିବାକୁ ପଡ଼ିବ । (ମାଥିଉ ୫:୨୮; ୬:୨୪; ୭:୧୨) ଯୀଶୁ ଏହା ବି ଶିଖାଇଲେ ଯେ ଆମେ ପ୍ରକୃତ ଖୁସି କିପରି ପାଇପାରିବା । ଆମକୁ ଜାଣିବାକୁ ପଡ଼ିବ ଯେ ଈଶ୍ୱର ଆମଠାରୁ କʼଣ ଚାହାନ୍ତି ଓ ତାʼ ଅନୁସାରେ ଆମକୁ କାମ କରିବାକୁ ପଡ଼ିବ ।—ଲୂକ ୧୧:୨୮.

  • ଯୀଶୁ ପ୍ରେମ କରିବା ଶିଖାଇଲେ । ଯୀଶୁଙ୍କ କଥାରେ ବହୁତ ଶକ୍ତି ଥିଲା । ବାଇବଲ କହେ, ‘ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ ।’ (ମାଥିଉ ୭:୨୮, ୨୯) ସେ ସେମାନଙ୍କୁ ଶିଖାଇଲେ ଯେ “ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର ।” ଯୀଶୁ ନିଜେ ବି ଏପରି କରି ଦେଖାଇଲେ । ନିଜ ମୃତ୍ୟୁର ପୂର୍ବେ ସେ ନିଜ ଶତ୍ରୁମାନଙ୍କ ପାଇଁ ଏହା ପ୍ରାର୍ଥନା କଲେ, “ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ ।” (ମାଥିଉ ୫:୪୪; ଲୂକ ୨୩:୩୪) ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯୀଶୁଙ୍କ କଥା ଓ ତାଙ୍କ ବ୍ୟବହାର ଲୋକମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଲା ।

ଯୀଶୁ ଲୋକମାନଙ୍କୁ ପ୍ରେମ କରନ୍ତି ଓ ତାଙ୍କ ସାହାଯ୍ୟ କରନ୍ତି । ସେ ରାଜା ହେବା ପାଇଁ ସବୁଠୁ ଯୋଗ୍ୟ ବ୍ୟକ୍ତି ଅଟନ୍ତି । କିନ୍ତୁ ତାଙ୍କ ରାଜ୍ୟ କେବେ ଆରମ୍ଭ ହୁଅନ୍ତା ?