इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୮

ପରମେଶ୍ୱର ଦୁଷ୍ଟତା ଏବଂ ଦୁଃଖକଷ୍ଟକୁ କାହିଁକି ଅନୁମତି ଦେଇଛନ୍ତି?

ପରମେଶ୍ୱର ଦୁଷ୍ଟତା ଏବଂ ଦୁଃଖକଷ୍ଟକୁ କାହିଁକି ଅନୁମତି ଦେଇଛନ୍ତି?

୧. ଦୁଷ୍ଟତାର ଆରମ୍ଭ କିପରି ହେଲା?

ପରମେଶ୍ୱର ମଣିଷଜାତିକୁ ଶାସନ କରିବା ପାଇଁ ଲମ୍ବା ସମୟର ଅନୁମତି ଦେଇଛନ୍ତି, ଯାହାଦ୍ୱାରା ପ୍ରମାଣିତ ହୋଇପାରିବ ଯେ ମଣିଷ ନିଜେ ନିଜକୁ ଶାସନ କରି ସମସ୍ୟାଗୁଡ଼ିକର ସମାଧାନ କରିପାରିବ ନାହିଁ

 ଯେତେବେଳେ ଶୟତାନ ପ୍ରଥମ ମିଛ କହିଲା, ସେତେବେଳଠାରୁ ଦୁଷ୍ଟତାର ଆରମ୍ଭ ହେଲା। ପ୍ରକୃତରେ ଶୟତାନ ଏକ ସିଦ୍ଧ ସ୍ୱର୍ଗଦୂତ ଥିଲା, କିନ୍ତୁ ‘ସେ ସତ୍ୟରେ ରହିଲା ନାହିଁ।’ (ଯୋହନ ୮:୪୪) ପରମେଶ୍ୱର ଯେଉଁ ଉପାସନା ପାଇବାର ହକ୍‌ଦାର, ତାହା ଶୟତାନ ପାଇବା ପାଇଁ ଇଚ୍ଛା କଲା। ପ୍ରଥମ ସ୍ତ୍ରୀ ହବାକୁ ଶୟତାନ ମିଛ କହିଲା। ସେ କହିଲା ଯେ ଯଦି ସେ ପରମେଶ୍ୱରଙ୍କ ପରିବର୍ତ୍ତେ ତାʼର ଆଜ୍ଞା ପାଳନ କରେ, ତେବେ ସେ ଅଧିକ ଖୁସିରେ ରହିବ। ଶୟତାନ ଏପରି କରିବାର କାରଣ ସେ ଚାହୁଁଥିଲା ଯେ ଲୋକେ ପରମେଶ୍ୱରଙ୍କ ଉପାସନା ନ କରି ତାକୁ ଉପାସନା କରନ୍ତୁ। ହବା ପରମେଶ୍ୱରଙ୍କ ନିୟମ ମାନିଲା ନାହିଁ ଏବଂ ଆଦମ ମଧ୍ୟ ତାʼ ସହିତ ଯୋଗ ଦେଲା। ଏହିପରି ଭାବରେ ଆଦମର ଏହି ନିଷ୍ପତ୍ତି ଦୁଃଖ ଏବଂ ମୃତ୍ୟୁ ଆଣିଦେଲା।—ଆଦି ପୁସ୍ତକ ୩:୧-୬, ୧୯ ପଢ଼ନ୍ତୁ।

 ଯେତେବେଳେ ଶୟତାନ ହବାକୁ ପରମେଶ୍ୱରଙ୍କ ଆଜ୍ଞା ନ ମାନିବାକୁ ପ୍ରସ୍ତାବ ଦେଲା, ସେ ପରମେଶ୍ୱରଙ୍କ ଶାସନ କରିବାର ଅଧିକାର ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କଲା। ସେହି ସମୟରୁ ପୃଥିବୀର ଅଧିକାଂଶ ଲୋକ ଶୟତାନକୁ ସମର୍ଥନ କରି ଯିହୋବାଙ୍କ ଶାସନ କରିବାର ଅଧିକାରକୁ ବିରୋଧ କରିଆସୁଛନ୍ତି। ଏହିପରି ଶୟତାନ “ଜଗତର ଅଧିପତି” ହୋଇଯାଇଛି।—ଯୋହନ ୧୪:୩୦; ୧ ଯୋହନ ୫:୧୯ ପଢ଼ନ୍ତୁ।

୨. କʼଣ ପରମେଶ୍ୱରଙ୍କ ସୃଷ୍ଟିରେ କିଛି ତ୍ରୁଟି ଥିଲା?

 ପରମେଶ୍ୱରଙ୍କ ସମସ୍ତ କାମ ଉତ୍ତମ ଅଟେ। ଯେଉଁ ମଣିଷ ଏବଂ ସ୍ୱର୍ଗଦୂତଙ୍କୁ ପରମେଶ୍ୱର ସୃଷ୍ଟି କରିଥିଲେ, ସେମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବାକୁ ସକ୍ଷମ ଥିଲେ। (ଦ୍ୱିତୀୟ ବିବରଣ ୩୨:୪, ୫) ଆମେ ଠିକ୍‌ କିମ୍ବା ଭୁଲ କାମ କରିବା, ପରମେଶ୍ୱର ଆମକୁ ଏହା ନିର୍ଣ୍ଣୟ କରିବାର ସ୍ୱାଧୀନ ଅଧିକାର ଦେଇଛନ୍ତି। ଏହି ସ୍ୱାଧୀନ ଅଧିକାର ଆମକୁ ପରମେଶ୍ୱରଙ୍କୁ ପ୍ରେମ କରିବା ପାଇଁ ସୁଯୋଗ ଦିଏ।—ଯାକୁବ ୧:୧୩-୧୫; ୧ ଯୋହନ ୫:୩ ପଢ଼ନ୍ତୁ।

୩. ପରମେଶ୍ୱର ଆଜି ପର୍ଯ୍ୟନ୍ତ ଦୁଃଖକଷ୍ଟକୁ କାହିଁକି ଅନୁମତି ଦେଇଛନ୍ତି?

 କିଛି ସମୟ ପାଇଁ ଯିହୋବା ନିଜ ଶାସନ କରିବାର ଅଧିକାର ବିରୁଦ୍ଧରେ ବିଦ୍ରୋହକୁ ଅନୁମତି ଦେଇଛନ୍ତି। କାହିଁକି? ସେ ଏହା ଜଣାଇବାକୁ ଚାହାନ୍ତି ଯେ ଯଦି ମଣିଷଜାତି ତାଙ୍କ ସାହାଯ୍ୟ ବିନା ନିଜେ ନିଜକୁ ଶାସନ କରେ, ତେବେ କେବେ ମଧ୍ୟ ଲୋକଙ୍କ ମଙ୍ଗଳ ହେବ ନାହିଁ। (ଉପଦେଶକ ୭:୨୯; ୮:୯) ପ୍ରାୟ ୬,୦୦୦ ବର୍ଷର ମଣିଷ ଇତିହାସରୁ ପ୍ରମାଣ ମିଳେ ଯେ ମଣିଷ ନିଜେ ନିଜକୁ ଶାସନ କରି ଯୁଦ୍ଧ, ଅପରାଧ, ଅନ୍ୟାୟ ଏବଂ ରୋଗକୁ ହଟାଇବାରେ କେବେ ମଧ୍ୟ ସଫଳ ହୋଇପାରି ନାହିଁ।—ଯିରିମିୟ ୧୦:୨୩; ରୋମୀୟ ୯:୧୭ ପଢ଼ନ୍ତୁ।

 ଅପର ପକ୍ଷରେ ଯେଉଁମାନେ ପରମେଶ୍ୱରଙ୍କୁ ନିଜ ଶାସକ ବୋଲି ଗ୍ରହଣ କରନ୍ତି, ସେମାନେ ଲାଭ ପାଆନ୍ତି। (ଯିଶାଇୟ ୪୮:୧୭, ୧୮) ଅତି ଶୀଘ୍ର, ଯିହୋବା ମଣିଷ ସରକାରକୁ ଧ୍ୱଂସ କରିବାକୁ ଯାଉଛନ୍ତି। ଯେଉଁମାନେ ପରମେଶ୍ୱରଙ୍କ ଅଧୀନରେ ରହିବାକୁ ଚାହିଁବେ, କେବଳ ସେମାନେ ହିଁ ଏହି ପୃଥିବୀର ଅଧିକାରୀ ହେବେ।—ଯିଶାଇୟ ୧୧:୯.ଦାନିୟେଲ ୨:୪୪ ପଢ଼ନ୍ତୁ।

 ପରମେଶ୍ୱର ଦୁଃଖକଷ୍ଟକୁ କାହିଁକି ଅନୁମତି ଦେଇଛନ୍ତି ? ଭିଡିଓ ଦେଖନ୍ତୁ ।

୪. ପରମେଶ୍ୱରଙ୍କ ଧୈର୍ଯ୍ୟ ଯୋଗୁଁ ଆମକୁ କʼଣ ସୁଯୋଗ ମିଳିଛି?

 ଶୟତାନ ଦାବି କରିଥିଲା ଯେ ମନୁଷ୍ୟ କେବଳ ନିଜ ସ୍ୱାର୍ଥ ପାଇଁ ପରମେଶ୍ୱରଙ୍କ ଉପାସନା କରେ। ଆପଣ କʼଣ ଏହି ଦାବିକୁ ମିଛ ବୋଲି ପ୍ରମାଣ କରିବାକୁ ଚାହିଁବେ? ଆପଣ ଏପରି କରିପାରିବେ! ପରମେଶ୍ୱରଙ୍କ ଧୈର୍ଯ୍ୟ ଯୋଗୁଁ ଆମ ସମସ୍ତଙ୍କୁ ଏହି ସୁଯୋଗ ମିଳିଛି ଯେ ଆମେ କାହାର ଶାସନ ପସନ୍ଦ କରୁ, ପରମେଶ୍ୱରଙ୍କ ନା ମଣିଷର। ଆଜି ନିଜ ଦୈନନ୍ଦିନ ଜୀବନର କାମରୁ ଦେଖାଇପାରିବା ଯେ ଆମେ ପରମେଶ୍ୱରଙ୍କ ପକ୍ଷରେ ଅଛୁ।—ଆୟୁବ ୧:୮-୧୨; ହିତୋପଦେଶ ୨୭:୧୧ ପଢ଼ନ୍ତୁ।

୫. ପରମେଶ୍ୱର ଆମର ଶାସକ ବୋଲି ଆମେ କିପରି ଦେଖାଇପାରିବା?

ଆମ ଦୈନନ୍ଦିନ ଜୀବନରେ ଆମ କାମରୁ ଦେଖାଇପାରିବା ଯେ ଆମେ ପରମେଶ୍ୱରଙ୍କ ଶାସନ ଚାହୁଁ

 ପରମେଶ୍ୱରଙ୍କ ବାକ୍ୟରୁ ଶିଖିବା ଏବଂ ପ୍ରକୃତ ଉପାସନା କରିବା ଦ୍ୱାରା ଆମେ ଦେଖାଇପାରିବା ଯେ ଯିହୋବା ପରମେଶ୍ୱର ଆମର ଶାସକ ଅଟନ୍ତି। (ଯୋହନ ୪:୨୩) ଆମ ଶାସକ ଯୀଶୁଙ୍କ ପରି ରାଜନୀତି ଏବଂ ଯୁଦ୍ଧରେ ଭାଗ ନ ନେଇ ଆମେ ଶୟତାନର ଶାସନକୁ ବିରୋଧ କରିପାରିବା।—ଯୋହନ ୧୭:୧୪ ପଢ଼ନ୍ତୁ।

 ଶୟତାନ ନିଜ ଶକ୍ତିର ବ୍ୟବହାର କରି ଏମିତି ଅନୈତିକ କାମଗୁଡ଼ିକ କରିବା ପାଇଁ ଲୋଭ ଦେଖାଏ, ଯାହା ଆମ ପାଇଁ ବିନାଶ ଆଣିଦିଏ। ଯେତେବେଳେ ଆମେ ଏହି କାମଗୁଡ଼ିକରୁ ଦୂରେଇ ରହୁ, ଆମ ସାଙ୍ଗସାଥୀ କିମ୍ବା ସମ୍ପର୍କୀୟମାନେ ଆମକୁ ଥଟ୍ଟା କରିପାରନ୍ତି କିମ୍ବା ବିରୋଧ କରିପାରନ୍ତି। (୧ ପିତର ୪:୩, ୪) ଆମେ କʼଣ ଏପରି ପରିସ୍ଥିତିରେ ମଧ୍ୟ ପରମେଶ୍ୱରଙ୍କୁ ପ୍ରେମ କରୁଥିବା ଲୋକଙ୍କ ସହିତ ସଙ୍ଗତି କରିବା? ଆମେ କʼଣ ପରମେଶ୍ୱରଙ୍କ ପ୍ରେମପୂର୍ଣ୍ଣ ନିୟମଗୁଡ଼ିକୁ ପାଳନ କରିବା, ଯାହା ଆମ ଲାଭ ପାଇଁ ଅଟେ? ଏପରି କରି ଆମେ ଶୟତାନ କରିଥିବା ଦାବିକୁ ମିଛ ବୋଲି ପ୍ରମାଣ କରିପାରିବା ଏବଂ ଦେଖାଇପାରିବା ଯେ ସମସ୍ୟାଗୁଡ଼ିକର ସାମନା କରି ମଧ୍ୟ ଆମେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରୁ।—୧ କରିନ୍ଥୀୟ ୬:୯, ୧୦; ୧୫:୩୩ ପଢ଼ନ୍ତୁ।

 ପରମେଶ୍ୱର ମଣିଷ ଜାତିକୁ ପ୍ରେମ କରନ୍ତି, ତେଣୁ ସେ ନିଶ୍ଚୟ ଦୁଷ୍ଟତା ଏବଂ ଦୁଃଖକଷ୍ଟକୁ ଖୁବ୍‌ ଶୀଘ୍ର ସମାପ୍ତ କରିଦେବେ। ଯେଉଁମାନେ ଏହି ସତ୍ୟକୁ ବିଶ୍ୱାସ କରନ୍ତି, ସେମାନେ ପୃଥିବୀରେ ଅନନ୍ତ ଜୀବନର ଆନନ୍ଦ ନେବେ।—ଯୋହନ ୩:୧୬ ପଢ଼ନ୍ତୁ।