इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୧୦

ଶଲୋମନ ଦକ୍ଷତାର ସହିତ ଶାସନ କଲେ

ଶଲୋମନ ଦକ୍ଷତାର ସହିତ ଶାସନ କଲେ

ଯିହୋବା ଶଲୋମନଙ୍କୁ ତୀକ୍ଷ୍‌ଣବୁଦ୍ଧି ଦେଲେ; ଶଲୋମନଙ୍କ ଶାସନକାଳରେ ଇସ୍ରାଏଲୀୟମାନେ ଅସୀମ ଶାନ୍ତି ଓ ସମୃଦ୍ଧି ପାଇଥିଲେ

ଟିକେ ଭାବି ଦେଖନ୍ତୁ, ଆମ ଜୀବନ କିପରି ହୋଇଥାନ୍ତା ଯଦି ଗୋଟିଏ ଜାତି ଓ ତାʼର ଶାସକମାନେ ଯିହୋବାଙ୍କ ସାର୍ବଭୌମତ୍ୱ ଗ୍ରହଣ କରିବା ସହ ତାହାଙ୍କ ନିୟମଗୁଡ଼ିକୁ ପାଳନ କରିଥାନ୍ତେ ? ଏହାର ଉତ୍ତର ରାଜା ଶଲୋମନଙ୍କ ୪୦ ବର୍ଷର ଶାସନକାଳରେ ଦେଖିବାକୁ ମିଳେ ।

ଦାଉଦଙ୍କ ମୃତ୍ୟୁ ପୂର୍ବେ, ନିଜ ପୁତ୍ର ଶଲୋମନଙ୍କୁ ଉତ୍ତରାଧିକାରୀ ଭାବେ ନିଯୁକ୍ତି କଲେ । ଈଶ୍ୱର, ସ୍ୱପ୍ନରେ ଶଲୋମନଙ୍କୁ କିଛି ମାଗିବା ପାଇଁ କହିଲେ । ଶଲୋମନ ନିଜ ପ୍ରଜାମାନଙ୍କୁ ନିରପେକ୍ଷ ଓ ଦକ୍ଷତାର ସହ ଶାସନ କରିବା ପାଇଁ ବୁଦ୍ଧି ଓ ଜ୍ଞାନ ମାଗିଲେ । ଯିହୋବା ଏଥିରେ ଖୁସୀ ହୋଇ ଶଲୋମନଙ୍କୁ ବୁଦ୍ଧି ଓ ସୁବିବେଚନା ଦେଲେ । ଏହା ସହିତ ଯିହୋବା ପ୍ରତିଜ୍ଞା କଲେ ଯଦି ସେ ତାହାଙ୍କ ଆଜ୍ଞାକାରୀ ରହେ ତେବେ ତାହାଙ୍କୁ ଧନସମ୍ପତି, ଗୌରବ ଓ ଦୀର୍ଘଜୀବନ ଦେବେ ।

ନିଜ ଦକ୍ଷବିଚାର ନିମନ୍ତେ ଶଲୋମନ ପ୍ରସିଦ୍ଧ ହୋଇଥିଲେ । ଦିନେ ଗୋଟିଏ ବିଚାର ସଭାରେ ଦୁଇଜଣ ସ୍ତ୍ରୀ ଗୋଟିଏ ଶିଶୁକୁ ନେଇ ବିବାଦ କରିବାକୁ ଲାଗିଲେ ଏବଂ ଦୁହେଁ ଶିଶୁଟିକୁ ମୋର ବୋଲି ଦାବି କରୁଥିଲେ । ଶଲୋମନ ଆଦେଶ ଦେଲେ ଯେ ସେହି ଶିଶୁଟିକୁ ଦୁଇଭାଗ କରି ସେମାନଙ୍କ ମଧ୍ୟରେ ଅଧା ଅଧା ବଣ୍ଟନ କରି ଦିଆଯାଉ । ଏଥିରେ ପ୍ରଥମ ସ୍ତ୍ରୀ ଲୋକଟି ରାଜି ହେଲା କିନ୍ତୁ ଅନ୍ୟଟି ସେହି ଶିଶୁଟିକୁ ନ ମାରି ପ୍ରଥମ ସ୍ତ୍ରୀକୁ ଦେଇଦେବା ପାଇଁ ରାଜାଙ୍କୁ ଅନୁରୋଧ କଲା । ଶଲୋମନ ବର୍ତ୍ତମାନ ସଠିକଭାବେ ବୁଝିପାରିଲେ ଯେ ସେହି କରୁଣାମୟୀ ସ୍ତ୍ରୀ ହିଁ ଶିଶୁଟିର ପ୍ରକୃତ ମାʼ, ତେଣୁ ଶିଶୁଟିକୁ ସେହି ସ୍ତ୍ରୀକୁ ଦେବା ପାଇଁ କହିଲେ । ତାହାଙ୍କ ଏହି ବିଚାର କଥା ସମସ୍ତ ଇସ୍ରାଏଲୀୟମାନେ ଶୁଣିଲା ପରେ ବୁଝି ପାରିଲେ ଯେ ଈଶ୍ୱରଙ୍କ ବୁଦ୍ଧି ଶଲୋମନଙ୍କଠାରେ ରହିଛି ।

ଶଲୋମନଙ୍କ ସର୍ବଶ୍ରେଷ୍ଠ କୀର୍ତ୍ତି ହେଲା ଯିହୋବାଙ୍କ ମନ୍ଦିର—ଏହା ଯିରୁଶାଲମର ଅତି ସୁନ୍ଦର ନିର୍ମାଣ ଥିଲା, ଯାହା ଆଗାମୀ ଦିନରେ ଇସ୍ରାଏଲୀୟମାନଙ୍କ ଉପାସନାର ଏକ ମୂଖ୍ୟ କେନ୍ଦ୍ରଭାବେ ବ୍ୟବହାର ହେବ । ମନ୍ଦିରର ଉଦ୍ଘାଟନ ସମୟରେ, ଶଲୋମନ ପ୍ରାର୍ଥନା କରିଥିଲେ: “ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପସ୍ଥିତ) ସ୍ୱର୍ଗ ତୁମ୍ଭକୁ ଧାରଣ କରି ନ ପାରେ; ତେବେ ମୋʼ ନିର୍ମିତ ଏହି ଗୃହ କʼଣ ପାରିବ ?”—୧ ରାଜାବଳୀ ୮:୨୭.

ଶଲୋମନଙ୍କ ଖ୍ୟାତି ବହୁଦୂର ପର୍ଯ୍ୟନ୍ତ ବ୍ୟାପିବାକୁ ଲାଗିଲା, ଏପରି କି ଆରବର ଶିବା ଦେଶ ପର୍ଯ୍ୟନ୍ତ । ଶିବାର ରାଣୀ ଶଲୋମନଙ୍କ ଧନ, ସୌନ୍ଦର୍ଯ୍ୟ ଦେଖିବା ସହ ତାʼର ବିଚକ୍ଷଣ ବୁଦ୍ଧିର ଗଭୀରତାକୁ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଥିଲେ । ସେହି ରାଣୀ ଶଲୋମନଙ୍କ ବୁଦ୍ଧି ଓ ଇସ୍ରାଏଲୀୟମାନଙ୍କ ସମୃଦ୍ଧିଶାଳୀନତାକୁ ଦେଖି ଏତେ ପ୍ରଭାବିତ ହେଲେ, ଯେ ସେ ଏପରି ବୁଦ୍ଧିମାନ ରାଜାଙ୍କୁ ସିଂହାସନରେ ଉପବିଷ୍ଟ କରିଥିବାରୁ ଯିହୋବାଙ୍କ ପ୍ରଶଂସା କଲେ । ଏହା ନିଶ୍ଚୟ, ଯିହୋବାଙ୍କ ଆଶୀର୍ବାଦ ଦ୍ୱାରା ଶଲୋମନଙ୍କ ଶାସନ, ପ୍ରାଚୀନ ଇସ୍ରାଏଲୀୟ ଇତିହାସର ସବୁଠାରୁ ବେଶି ସମୃଦ୍ଧିଶାଳୀ ଓ ଶାନ୍ତିପୂର୍ଣ୍ଣ ସମୟ ଥିଲା ।

ଏହା ଅତି ଦୁଃଖର ବିଷୟ, ଶଲୋମନ ଯିହୋବାଙ୍କ ବୁଦ୍ଧି ଅନୁସାରେ ଶେଷ ପର୍ଯ୍ୟନ୍ତ ଚାଲିଲେ ନାହିଁ । ଈଶ୍ୱରଙ୍କ ଆଜ୍ଞା ନ ମାନି ସେ ଶହ ଶହ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ବିଦେଶୀ ଦେବତାଙ୍କୁ ପୂଜା କରୁଥିଲେ । ଧୀରେ ଧୀରେ ସେହି ସ୍ତ୍ରୀମାନେ ତାହାଙ୍କୁ ଯିହୋବାଙ୍କ ଉପାସନାରୁ ଦୂରେଇ ନେଇ ମୂର୍ତ୍ତୀପୂଜାରେ ଲିପ୍ତ କରାଇଲେ । ଯିହୋବା ଶଲୋମନଙ୍କୁ କହିଥିଲେ ଯେ ତାହାଙ୍କ ରାଜ୍ୟରୁ ଏକ ଅଂଶ ତାହାଙ୍କଠାରୁ କାଢ଼ି ନିଆଯିବ । କିନ୍ତୁ ଈଶ୍ୱର କହିଲେ କେବଳ ଶଲୋମନଙ୍କ ପିତା, ଦାଉଦଙ୍କ ପାଇଁ ରାଜ୍ୟର ବାକି ଅଂଶ ତାʼ ବଂଶ ପାଇଁ ରହିବ । ଯଦ୍ୟପି ଶଲୋମନ ନିଜ ଆଦର୍ଶ ହରେଇ ବସିଥିଲେ, ତଥାପି ଯିହୋବା ଦାଉଦଙ୍କ ସହିତ ଚୁକ୍ତି କରିଥିବା ସେହି ରାଜ୍ୟ ବିଷୟରେ ଅଟଳ ରହିଲେ ।

ଏହା ୧ ରାଜାବଳୀ ଅଧ୍ୟୟ ୧ ରୁ ୧୧; ୨ ବଂଶାବଳୀ ଅଧ୍ୟାୟ ୧ ରୁ ୯; ଦ୍ୱିତୀୟ ବିବରଣ ୧୭:୧୭ ଉପରେ ଆଧାରିତ ।