इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୫

ଈଶ୍ୱର ଅବ୍ରହାମ ଓ ତାହାଙ୍କ ପରିବାରକୁ ଆଶୀର୍ବାଦ କଲେ

ଈଶ୍ୱର ଅବ୍ରହାମ ଓ ତାହାଙ୍କ ପରିବାରକୁ ଆଶୀର୍ବାଦ କଲେ

ଅବ୍ରହାମଙ୍କ ପରିବାର ବଢ଼ିବାକୁ ଲାଗିଲା । ଈଶ୍ୱର ଯୋଷେଫଙ୍କୁ ମିସରରେ ସୁରକ୍ଷିତ ରଖିଲେ

ଯିହୋବା ଜାଣି ପାରୁଥିଲେ ଯେ ସେ ଯାହାଙ୍କୁ ଅତି ଭଲ ପାଉଥିଲେ, ସେ ଅନେକ ଦୁଃଖକଷ୍ଟ ଭୋଗିବେ ଏବଂ ଦିନେ ମରିବେ । ଆଦିପୁସ୍ତକ ୩:୧୫ ପଦରେ ଲିଖିତ ଭବିଷ୍ୟବାଣୀ ଏହି ସତ୍ୟତାକୁ ସୂଚିତ କରେ । ଈଶ୍ୱର ପ୍ରକୃତରେ କʼଣ ମାନବଜାତିକୁ ବୁଝେଇ ପାରିଥିଲେ କି, ଯେ ଏହି ମୃତ୍ୟୁ ତାହାଙ୍କ ପାଇଁ କେତେ କଷ୍ଟଦାୟକ ଥିଲା ? ବାଇବଲ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦିଏ । ଈଶ୍ୱର ଅବ୍ରହାମଙ୍କୁ ତାହାଙ୍କ ପ୍ରିୟ ପୁତ୍ର ଇସ୍‌ହାକର ବଳିଦାନ ଦେବାକୁ କହିଥିଲେ ।

ଅବ୍ରହାମଙ୍କର ଅଟଳ ବିଶ୍ୱାସ ଥିଲା । ଆପଣଙ୍କ ନିଶ୍ଚୟ ମନେ ଥିବ, ଈଶ୍ୱର ତାହାଙ୍କୁ ପ୍ରତିଜ୍ଞା କରିଥିଲେ ଯେ ଉଦ୍ଧାର କର୍ତ୍ତା ବା ପ୍ରତିଜ୍ଞାତ ବଂଶ, ଇସ୍‌ହାକଙ୍କ ବଂଶରୁ ଆସିବେ । ଆବଶ୍ୟକ ପଡ଼ିଲେ ଯେ ଈଶ୍ୱର ଇସ୍‌ହାକଙ୍କୁ ମୃତ୍ୟୁରୁ ପୁନରୁତ୍ଥାନ କରିବେ ଏକଥାକୁ ବିଶ୍ୱାସ କରି ଅବ୍ରହାମ ନିଜ ପୁତ୍ରଙ୍କୁ ବଳିଦେବାକୁ ବାହାରି ଥିଲେ । କିନ୍ତୁ, ଠିକ୍‌ ସେହି ସମୟରେ ଈଶ୍ୱରଙ୍କର ଜଣେ ସ୍ୱର୍ଗଦୂତ ଅବ୍ରହାମଙ୍କୁ ତାହା କରିବାକୁ ମନା କଲେ । ଏହି ଭଳି ନିଜ ପ୍ରିୟ ପୁତ୍ରଙ୍କୁ ବଳିଦେବାକୁ ଆଗେଇ ଆସିବାର ଦେଖି, ଈଶ୍ୱର ଅତି ଆନନ୍ଦ ହୋଇ ବିଶ୍ୱସ୍ତ ଅବ୍ରହାମଙ୍କୁ ପୁଣି ଥରେ ନିଜର ସେହି ପ୍ରତିଜ୍ଞାର କଥାକୁ ମନେ ପକେଇ ଦେଇଥିଲେ ।

ଏହାପରେ ଇସ୍‌ହାକଙ୍କର ଦୁଇଟି ପୁତ୍ର ଏଷୌ ଓ ଯାକୁବ ଜନ୍ମ ହେଲେ । ଏଷୌ ଧାର୍ମିକ ନ ଥିଲେ, କିନ୍ତୁ ତାʼର ଭାଇ ଯାକୁବ ଆଧ୍ୟାତ୍ମିକ ପ୍ରତି ଅତି ଆଗ୍ରହୀ ଥିଲେ ଓ ଏହାର ଫଳ ସ୍ୱରୂପେ ସେ ପୁରସ୍କାର ପାଇଥିଲେ । ଈଶ୍ୱର ଯାକୁବଙ୍କ ନାମ ବଦଳାଇ ଇସ୍ରାଏଲ ରଖିଲେ ଏବଂ ଏହି ଇସ୍ରାଏଲର ୧୨ଟି ପୁଅମାନେ ଶେଷରେ ଇସ୍ରାଏଲ ଜାତିର ମୁଖ୍ୟ ହେଲେ । କିନ୍ତୁ ଆସନ୍ତୁ ଦେଖିବା ଯେ କିପରି ଏହି ପରିବାର ଏକ ବିଶାଳ ଜାତିରେ ପରିବର୍ତ୍ତନ ହେବ ?

ଘଟଣାନୁଯାଇ ଦେଖିବାକୁ ମିଳେ ଯେ ସେହି ପୁତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ତାʼଙ୍କ ସାନ ଭାଇ ଯୋଷେଫଙ୍କୁ ଈର୍ଷା କରିବାକୁ ଲାଗିଲେ । ସେମାନେ ତାହାକୁ ଜଣେ ମିସରୀୟ ଲୋକକୁ କ୍ରୀତଦାସରୂପେ ବିକ୍ରୀ କରିଦେଲେ । କିନ୍ତୁ ଈଶ୍ୱର ସେହି ସାହସୀ ଓ ବିଶ୍ୱାସୀ ଯୁବକଟିକୁ ଆଶୀର୍ବାଦ କଲେ । ଅନେକ ଦୁଃଖକଷ୍ଟ ସହିବା ସତ୍ତ୍ୱେ ସମୟକ୍ରମେ ମିସରର ଶାସକ ଫାରୋଙ୍କ ଦୃଷ୍ଟି ଯୋଷେଫଙ୍କ ଉପରେ ପଡ଼ିଲା ଏବଂ ସେ ତାହାଙ୍କୁ ଗୋଟିଏ ଉଚ୍ଚ ପଦରେ ନିଯୁକ୍ତି ଦେଲେ । ଏହା ହିଁ ଥିଲା ଉପଯୁକ୍ତ ସମୟ କାରଣ ସେହି ସମୟରେ ଚତୁର୍ଦିଗରେ ଦୁର୍ଭିକ୍ଷ ପଡ଼ିଥାଏ, ଆଉ ଯାକୁବ ତାହାଙ୍କ ପୁତ୍ରମାନଙ୍କୁ ଶସ୍ୟ କିଣିବା ପାଇଁ ମିସରକୁ ପଠେଇଛନ୍ତି । ଠିକ୍‌ ସେହି ସମୟରେ ଯୋଷେଫ ମିସର ଦେଶରେ ଖାଦ୍ୟ ବଣ୍ଟନର ଅଧିକାରୀ ଅଛନ୍ତି । ନାଟକୀୟ ଭାବେ ତାଙ୍କର ଭାଇମାନଙ୍କ ସଙ୍ଗେ ମିଳନ ହୁଏ । ଯୋଷେଫ ତାʼଙ୍କ ଅନୁତାପୀ ଭାଇମାନଙ୍କୁ କ୍ଷମା କରି ତାହାଙ୍କ ସମସ୍ତ ପରିବାର ପୁନର୍ମିଳନର ବନ୍ଦବସ୍ତ କରି ସେମାନଙ୍କୁ ମିସରକୁ ଆଣନ୍ତି । ସେମାନଙ୍କୁ ଗୋଟିଏ ଉର୍ବର ଜମି ଦିଆଗଲା ଯାହା ଫଳରେ ସେମାନେ ଉନ୍ନତି ଓ ସମୃଦ୍ଧିଶାଳୀ ହୋଇ ପାରିବେ । ଯୋଷେଫ ବୁଝିପାରିଥିଲେ ଯେ ଈଶ୍ୱର ନିଜ ପ୍ରତିଜ୍ଞାକୁ ପୂରଣ କରିବା ପାଇଁ ଏସବୁ ବ୍ୟବସ୍ଥା କରିଥିଲେ ।

ବୃଦ୍ଧ ଯାକୁବ ତାʼଙ୍କ ବାକି ଜୀବନକୁ ନିଜ ବୃହତ ପରିବାର ସହିତ ମିସରରେ କଟାଇଲେ । ସେ ମୃତ୍ୟୁ ଶଯ୍ୟାରେ ଥାଇ ପ୍ରତିଜ୍ଞାତ ଉଦ୍ଧାରକର୍ତ୍ତାଙ୍କ ବିଷୟରେ ଭବିଷ୍ୟବାଣୀ କରି କହିଲେ ଯେ, ସେହି ଉଦ୍ଧାରକର୍ତ୍ତା, ତାହାଙ୍କ ପୁତ୍ର ଯିହୂଦା ବଂଶରେ, ଜଣେ ଶକ୍ତିଶାଳୀ ଶାସକରୂପେ ଜନ୍ମ ନେବେ । ଆଉ କିଛି ବର୍ଷ ବିତିଗଲା ପରେ, ଯୋଷେଫ ମଧ୍ୟ ନିଜ ମରିବା ପୂର୍ବରୁ ଭବିଷ୍ୟବାଣୀ କରି କହିଥିଲେ ଯେ, ଈଶ୍ୱର ଦିନେ ଯାକୁବଙ୍କ ପରିବାରକୁ ମିସରରୁ ବାହାର କରି ଆଣିବେ ।

ଏହା ଆଦିପୁସ୍ତକ ଅଧ୍ୟାୟ ୨୦ ରୁ ୫୦; ଏବ୍ରୀ ୧୧:୧୭-୨୨ ଉପରେ ଆଧାରିତ ।