କʼଣ ଡିଗ୍ରୀ ଥିଲେ ଓ ରୋଜଗାର କଲେ ଆମର ଭବିଷ୍ୟତ ଭଲ ହୋଇଯିବ ?
ଅନେକ ଲୋକଙ୍କୁ ଲାଗେ ଯେ ସେମାନେ ଅଧିକ ପଢ଼ିଲେ ଏବଂ ଅଧିକ ରୋଜଗାର କଲେ, ସେମାନଙ୍କର ଭବିଷ୍ୟତ ଭଲ ହେବ । ସେମାନେ ଭାବନ୍ତି ଯେ ବିଶ୍ୱବିଦ୍ୟାଳୟରେ ପଢ଼ିଲେ ସେମାନେ ନିଜର ଦକ୍ଷତାକୁ ବଢ଼ାଇପାରିବେ ଏବଂ ଭଲ ଚାକିରିଟିଏ ବି ପାଇପାରିବେ । ତାʼସହିତ ଏଥିରୁ ତାଙ୍କର ପରିବାର ଓ ସମାଜକୁ ବି ଲାଭ ହେବ । ସେମାନଙ୍କୁ ଏହା ବି ଲାଗେ ଯେ ଡିଗ୍ରୀ କରିବା ଦ୍ୱାରା ସେମାନେ ଅଧିକ ରୋଜଗାର କରିପାରିବେ ଏବଂ ଖୁସିରେ ରହିପାରିବେ ।
ଅଧିକାଂଶ ଲୋକ କʼଣ ଭାବନ୍ତି ?
ଚିନ୍ ଦେଶର ଜଣେ ବ୍ୟକ୍ତି ଜାଙ୍ଗ ଚେନ୍ କହନ୍ତି, “ଆମେ ବହୁତ ଗରିବ ଥିଲୁ । ମୋତେ ଲାଗୁଥିଲା ଯେ ଡିଗ୍ରୀ କଲେ ହିଁ ମୋତେ ଭଲ ଦରମା ମିଳୁଥିବା ଚାକିରି ମିଳିବ ଓ ମୋର ଭବିଷ୍ୟତ ଉଜ୍ଜ୍ୱଳ ହୋଇଯିବ ।”
ଅନେକ ଲୋକ ନିଜର ଭବିଷ୍ୟତ ଉଜ୍ଜ୍ୱଳ କରିବା ପାଇଁ ବଡ଼ ବଡ଼ ୟୁନିଭରସିଟିରେ ଡିଗ୍ରୀ କରିବା ପାଇଁ ଚାହାନ୍ତି । ଦେଖିବାକୁ ଗଲେ ଗତ କିଛି ବର୍ଷରୁ ଅନେକ ଲୋକ ବିଦେଶକୁ ଯାଇ ପଢ଼ୁଛନ୍ତି ଏବଂ ଏପରି ଲୋକମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଛି । ଏହା ସତ ଯେ କରୋନା ମହାମାରୀ ଯୋଗୁଁ ବିଦେଶକୁ ଯାଉଥିବା ଏପରି ଲୋକଙ୍କ ସଂଖ୍ୟା ଟିକେ କମ୍ ହୋଇଯାଇଛି । ‘ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ’ ୨୦୧୨ର ରିପୋର୍ଟ ଅନୁସାରେ, ଅଧାରୁ ଅଧିକ ଏସିଆ ଦେଶର ବିଦ୍ୟାର୍ଥୀମାନେ ବିଦେଶକୁ ଯାଇ ପଢ଼ୁଛନ୍ତି ।
ନିଜ ପିଲାମାନଙ୍କୁ ବିଦେଶକୁ ପଠାଇବା ପାଇଁ ବାପାମାଆ ପ୍ରାୟ ଅନେକ ତ୍ୟାଗ କରନ୍ତି । ସିସିୟାଙ୍ଗ ଯିଏ ତାଇୱାନରୁ ଅଟନ୍ତି, ସେ କହନ୍ତି, “ମୋ ବାପାମାଆଙ୍କଠାରେ ଅଧିକ ପଇସା ନ ଥିଲା, ତଥାପି ସେମାନେ ଆମ ଚାରିଜଣ ପିଲାଙ୍କୁ ପଢ଼ିବା ପାଇଁ ଆମେରିକାକୁ ପଠାଇଲେ ।” ସିସିୟାଙ୍ଗଙ୍କ ବାପାମାଆଙ୍କୁ ଅନ୍ୟମାନଙ୍କ ପରି ନିଜ ପିଲାମାନଙ୍କ ଫିସ୍ ଭରିବା ପାଇଁ ଅତ୍ୟଧିକ ଋଣ ନେବାକୁ ପଡ଼ିଲା ।
ଏହାର ପରିଣାମ
ଅନେକ ଲୋକ ବଡ଼ ବଡ଼ ଡିଗ୍ରୀ କଲେ ଓ ଧନ ସମ୍ପତ୍ତି ସଞ୍ଚୟ କଲେ, ତଥାପି ସେମାନେ ଖୁସି ନାହାନ୍ତି
ଏହା ସତ ଯେ ଡିଗ୍ରୀ କଲାପରେ କିଛି ମାତ୍ରାରେ ଜୀବନ ଭଲ ହୋଇଯାଏ, କିନ୍ତୁ ଅନେକ ବିଦ୍ୟାର୍ଥୀ ଦେଖିଛନ୍ତି ଯେ ସେମାନେ ଯେମିତି ଭାବନ୍ତି, ସବୁବେଳେ ସେମିତି ହୁଏ ନାହିଁ । ଅନେକ ଲୋକ ଫିସ୍ ଭରିବା ପାଇଁ ଋଣ ନିଅନ୍ତି ଏବଂ ସୁଝିବା ପାଇଁ ଅନେକ ବର୍ଷ ଯାଏ ପରିଶ୍ରମ କରନ୍ତି । ଏପରି କଲାପରେ ବି ସେମାନଙ୍କୁ ତାଙ୍କ ମନପସନ୍ଦର ଚାକିରି ମିଳେ ନାହିଁ । ସିଙ୍ଗାପୁରର ଗୋଟିଏ ଖବରକାଗଜରେ କୁହାଯାଇଥିଲା, “ଆଜିକାଲି ପ୍ରାୟ ଏମିତି ହୁଏ ଯେ ଡିଗ୍ରୀ କଲାପରେ ବି ଲୋକମାନଙ୍କୁ ସହଜରେ ଚାକିରି ମିଳେ ନାହିଁ ।” ତାଇୱାନରେ ରହୁଥିବା ଜିଏନଜିଏ ଯିଏ ବଡ଼ ବଡ଼ ଡିଗ୍ରୀ କରିଛନ୍ତି, ସେ କହନ୍ତି, “ଆଜିକାଲି ଲୋକମାନଙ୍କୁ ଡିଗ୍ରୀ କଲାପରେ ବି ସେହି ହିସାବରେ ଚାକିରି ମିଳେ ନାହିଁ ।”
ଅନେକ ଲୋକଙ୍କୁ ନିଜ ମନପସନ୍ଦର ଚାକିରି ମିଳିଯାଏ ସତ, କିନ୍ତୁ ଖୁସି ମିଳେ ନାହିଁ । ଥାଇଲାଣ୍ଡରେ ରହୁଥିବା ନାଏରନ୍ଙ୍କ ସହ ବି ଏପରି ହିଁ ହେଲା । ସେ ଡିଗ୍ରୀ କରିବା ପାଇଁ ୟୁରୋପକୁ ଯାଇଥିଲେ ଏବଂ ନିଜ ଦେଶକୁ ଫେରିବା ପରେ ତାଙ୍କୁ ନିଜ ମନପସନ୍ଦର ଚାକିରି ମିଳିଗଲା । ସେ କହନ୍ତି, “ମୁଁ ଯେପରି ଭାବିଥିଲି ସେପରି ହିଁ ହେଲା । ଡିଗ୍ରୀ ଥିବା ଯୋଗୁଁ ଉଚ୍ଚ ଦରମା ମିଳୁଥିବା ଚାକିରି ମିଳିଗଲା, କିନ୍ତୁ ସେଠାରେ ମୋତେ ଅଧିକ ସମୟ ଯାଏ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା । କିଛି ଦିନ ପରେ କମ୍ପାନୀରୁ ଅଧିକାଂଶ ଲୋକଙ୍କୁ ଚାକିରିରୁ ବାହାର କରିଦିଆଗଲା ଏବଂ ମୋର ବି ଚାକିରି ଚାଲିଗଲା । ତେବେ ମୁଁ ବୁଝିପାରିଲି ଯେ ଆମ ପାଖରେ ଯେତେ ଭଲ ଚାକିରି ଥାଉ ନା କାହିଁକି, ଏହି କଥାର କୌଣସି ଗ୍ୟାରେଣ୍ଟି ନାହିଁ ଯେ ଆମ ଭବିଷ୍ୟତ ଭଲ ହେବ ।”
ଅନେକ ଥର ଧନୀ ଲୋକଙ୍କୁ ଦେଖି ଲାଗେ ଯେ ସେମାନେ ବହୁତ ଖୁସିରେ ଥିବେ, କିନ୍ତୁ ସେମାନେ ମଧ୍ୟ ଅନେକ ସମସ୍ୟାର ସାମନା କରନ୍ତି । ସେମାନେ ବି ରୋଗରେ ପଡ଼ନ୍ତି, ତାଙ୍କ ଘରେ ବି ଲଢ଼େଇ ଝଗଡ଼ା ହୋଇଥାଏ ଏବଂ ତାଙ୍କୁ ବି ଟଙ୍କାପଇସାର ଚିନ୍ତା ହୋଇଥାଏ । ଜାପାନରେ ରହୁଥିବା କାଟସୁତୋସି କହନ୍ତି, “ମୋ ପାଖରେ ସବୁକିଛି ଥିଲା, ମୋତେ କିଛି ବି ଜିନିଷର ଅଭାବ ନ ଥିଲା । ତଥାପି ମୁଁ ଖୁସି ନ ଥିଲି, କାରଣ ଲୋକମାନେ ମୋତେ ଈର୍ଷା କରୁଥିଲେ ଏବଂ ମୋ ସହିତ ଭଲ ବ୍ୟବହାର କରୁ ନ ଥିଲେ ।” ଭିଏତନାମରେ ରହୁଥିବା ଲାମ୍ କହନ୍ତି, “ଅନେକ ଲୋକ ଭବିଷ୍ୟତରେ ଆରାମଦାୟକ ଜୀବନ ବଞ୍ଚିବା ପାଇଁ ଅଧିକ ରୋଜଗାର କରନ୍ତି, କିନ୍ତୁ ଏପରି କିଛି ବି ହୋଇ ନ ଥାଏ । ସେମାନେ ଆହୁରି ଅଧିକ ଚିନ୍ତା କରିବାକୁ ଲାଗନ୍ତି, ରୋଗରେ ପଡ଼ନ୍ତି ଏବଂ ନିରାଶାରେ ବୁଡ଼ିଯାʼନ୍ତି ।”
ଫ୍ରାଙ୍କଲିନ୍ଙ୍କ ଭଳି ଅନେକ ଲୋକଙ୍କୁ ଅନୁଭବ ହୋଇଛି ଯେ କେବଳ ଉଚ୍ଚ ଶିକ୍ଷା ହାସଲ କଲେ ଏବଂ ଧନ ସମ୍ପତ୍ତି ସଞ୍ଚୟ କଲେ ଖୁସି ମିଳେ ନାହିଁ । ଏପରି ଅନେକ ଜିନିଷ ଅଛି ଯାହା ଏଗୁଡ଼ିକଠାରୁ ଅଧିକ ମହତ୍ତ୍ୱ ରଖେ । କିଛି ଲୋକଙ୍କୁ ଲାଗେ ଯେ ଯଦି ସେମାନେ ଭଲ କାମ କରନ୍ତି ଓ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି, ତାହେଲେ ସେମାନେ ଖୁସିରେ ରହିପାରିବେ । କʼଣ ଏହା ପ୍ରକୃତରେ ସତ ? ଆସନ୍ତୁ ପରବର୍ତ୍ତୀ ଲେଖାରେ ଏହି ପ୍ରଶ୍ନର ଉତ୍ତର ଜାଣିବା ।

